ଦେଢ଼ ଘଣ୍ଟା ପାଇଁ କଟିଗଲା ବିଜୁଳି, ଅଚଳଥିଲା ଜେନେରେଟର, ଇନଭର୍ଟର । ମୋବାଇଲ୍ ଟର୍ଚ୍ଚରେ ହେଲା ଚିକିତ୍ସା ।

183

କନକ ବ୍ୟୁରୋ: କେବେ ସୁଧୁରିବ ସ୍ୱାସ୍ଥ୍ୟବସ୍ଥା? ଆଜି ବି ଦେଶର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ବିଜୁଳି ନାହିଁ ବୋଲି ମେଡ଼ିକାଲକୁ ଭରସା ମୋବାଇଲ୍ ଟର୍ଚ୍ଚ ଲାଇଟ୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଉଜ୍ଜୈନ ଜିଲ୍ଲାରେ ନାଗଦାରେ । ଡାକ୍ତରଖାନାରେ ବିଦ୍ୟୁତ୍ କଟିଲା ପରେ ମୋବାଇଲ ଟର୍ଚ୍ଚ ଲାଇଟ୍ ଲଗାଯାଇ ଚିକିତ୍ସା କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପଦାରେ ପଡ଼ିଲା ସରକାରୀ ଡାକ୍ତରଖାନାର ଦାୟିତ୍ବହୀନତା  । ସୂଚନା ମୁତାବକ, ଡାକ୍ତରଖାନାରେ ନସବନ୍ଦୀ  ଅସ୍ତ୍ରୋପଚାର ଶିବିର ଆୟୋଜନ କରାଯାଇଥିଲା। ଏଥିଲାଗି କିଛି ମହିଳା ଆସିଥିବା ବେଳେ ସେହି ସମୟରେ ହଠାତ୍ ଡାକ୍ତରଖାନାର ବିଦ୍ୟୁତ୍ ଚାଲିଯାଇଥିଲା । ଫଳରେ ମହିଳାଙ୍କୁ ମୋବାଇଲ ଟର୍ଚ୍ଚ ଲଗାଇ ଇଞ୍ଜେକ୍ସନ ଦିଆଯିବା ପରେ ଏମରଜେନ୍ସି ଲାଇଟ୍ ଲଗାଇ ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତରଖାନାରେ ଥିବା ଜେନେରେଟର ଓ ଇନଭର୍ଟର ଖରାପ ହୋଇ ଯାଇଥିବାରୁ ଏମରଜେନ୍ସି ଲାଇଟ୍ ଲଗାଇ ଅସ୍ତ୍ରୋପଚାରର କରାଯାଇଥିଲା ବୋଲି ଜଣାପଡ଼ିଛି ।

ତେବେ ଏନେଇ ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମିଳୁଥିବା ସୁବିଧାରେ ଅଭାବ ରହିଛି । କିନ୍ତୁ ଆମ ସରକାର ଏହି ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆଉ ନାଗଦାରେ ସରକାରୀ ଡାକ୍ତରଖାନାରେ ଘଟିଥିବା ଘଟଣା ବିଷୟରେ ଜାଣି ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।