ଶପଥ ନେଲେ ଶିବରାଜ । ଚତୁର୍ଥ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ।

2,246

କନକ ବ୍ୟୁରୋ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂ ଚୌହ୍ୱାନ । ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ । ରାଜ୍ୟପାଳ ଶିବରାଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପୂର୍ବରୁ ଲଗାତାର ୩ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ଶିବରାଜ । ତେବେ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ନ ପାରିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌକିରୁ ଶିବରାଜଙ୍କୁ ଓହ୍ଲାଇବାକୁ ପଡିଥିଲା । ମଧ୍ୟପ୍ରଦେଶରେ ସରକାର ଗଢିଥିଲା କଂଗ୍ରେସ । ତେବେ ଦୀର୍ଘ ୧୫ ମାସ ପରେ ପୁଣିଥରେ କମବ୍ୟାକ୍ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ।

କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ସହ କମଳନାଥ ସରକାର ଉପରକୁ ସଙ୍କଟ ମାଡି ଆସିଥିଲା । ଜ୍ୟୋତିରାଦିତ୍ୟଙ୍କ ସହ ୨୨ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ବିଜେପି ପାଇଁ ବାଟ ଫିଟିଥିଲା । ଜ୍ୟୋତିରାଦିତ୍ୟ ଓ ତାଙ୍କ ସମର୍ଥିତ ବିଧାୟକ ବିଜେପିରେ ମିଶିବା ପରେ କମଳନାଥ ସରକାର ଅଳ୍ପମତକୁ ଚାଲି ଆସିଥିଲା । ଆଉ ଫ୍ଲୋର ଟେଷ୍ଟକୁ ଯିବା ପୂର୍ବରୁ ହିଁ କମଳନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଉ ଆଜି ବିଜେପିର ବିଧାୟକ ଦଳ ବୈଠକରେ ଶିବରାଜ ନେତା ନିର୍ବାଚିତ ହେବା ପରେ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହାପୂର୍ବରୁ ୨୯ ନଭେମ୍ବର ୨୦୦୫ରେ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶିବରାଜ । ସେହିଭଳି ୧୨ ଡିସେମ୍ବର ୨୦୦୮ରେ ଦ୍ୱିତୀୟ ଥର ଓ ୮ ଡିସେମ୍ବର ୨୦୧୩ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶିବରାଜ ।