ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀଦଣ୍ଡ ! ମଧ୍ୟପ୍ରଦେଶ କ୍ୟାବିନେଟ୍ ବୈଠକରେ ମିଳିଲା ମଞ୍ଜୁରୀ

45

କନକ ବ୍ୟୁରୋ : ଦୁଷ୍କର୍ମକାରୀଙ୍କୁ ମିଳିବ ଉଚିତ୍ ଦଣ୍ଡ । ଆଉ ଖସି ପାରିବେ ନାହିଁ ଦୁଷ୍କର୍ମକାରୀ । ମଧ୍ୟପ୍ରଦେଶ ସରକାର ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୨ ବର୍ଷ ପର୍ଯ୍ୟନ୍ତ ହୋଇଥିବା ବାଳିକାଙ୍କୁ ଦୁଷ୍କର୍ମ କଲେ ଅଭିଯୁକ୍ତଙ୍କୁ ହେବ ଫାଶୀଦଣ୍ଡ । ମନ୍ତ୍ରିମଣ୍ଡଳ ବୈଠକରେ ଏପରି ଅପରାଧୀଙ୍କୁ ଫାଶୀ ଦେବା ପାଇଁ ହୋଇଥିବା ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ତେବେ ଏହି ନିୟମ ଲାଗୁ ହେବା ପାଇଁ ଏବେ କିଛି ସମୟ ଲାଗିବ । ଏହି ନିୟମ ଲାଗୁ କରାଇବା ପାଇଁ କେନ୍ଦ୍ର ଓ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ମଗାଯିବ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିଲା କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୨୧ ବର୍ଷ ବା ତା’ଠାରୁ କମ ବୟସର ଝିଅଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଫାଶୀ ହେବା ପାଇଁ ହୋଇଥିବା ଆବେଦନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଏହାସହ କୌଣସି ବି ବୟସର ମିହଳାଙ୍କ ସହ ଗଣଦୁଷ୍କର୍ମ କରୁଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରସ୍ତାବକୁ ପାଶ୍ କରାଗଲା । ଆଉ ଏହି ବିଧେୟକକୁ ଶୀତକାଳୀନ ଅଧିବେସନରେ ଉପସ୍ଥାପନ କରାଯିବା ।

ଏହି ପ୍ରସ୍ତାବକୁ ବିଧାନସଭାରେ ପାରିତ କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ପଠାଯିବ । ଆଇପିସିର ଧାରା ୩୭୬(ଦୁଷ୍କର୍ମ) ଓ ୩୭୬ ଡ଼ି (ଗଣଦୁଷ୍କର୍ମ)ରେ ସଂଶଧୋନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଉଭୟ ଧାରାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ପାଇଁ ପ୍ରାବଧାନ ସାମିଲ କରାଯାଇଛି । ଏହା ବ୍ୟତୀତ ଉକ୍ତ ବୈଠକରେ ମହିଳାଙ୍କ ସହ ଅସଦାଚରଣ ପରି ମାମଲାରେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବା ସହ ଏକ ଲକ୍ଷ ଜୋରିମାନା ପ୍ରଦାନ କରବା ପାଇଁ ନିୟମ କରାଯିବ ବୋଲି ମଧ୍ୟ ପ୍ରସ୍ତାବ ମଂଜୁରୀ ହୋଇଛି । ନିକଟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଦୁଷ୍କର୍ମକାରୀଙ୍କମୁ ଫାଶୀଦଣ୍ଡ ହେବା ଉଚିତ । ରାଜ୍ୟରେ ୧୯ ବର୍ଷର ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ପରେ ସେ ଏପରି ନିୟମ ତିଆରି କରିବା ପାଇଁ ମନସ୍ଥ କରିଥିଲେ ।

ତେବେ ଶିବରାଜ ଚୌହାନଙ୍କ ପରି ଅନ୍ୟ ରାଜ୍ୟର ସରକାର ମଧ୍ୟ ଏପରି ପଦକ୍ଷେପ ନେଲେ ବୋଧହୁଏ ଦୁଷ୍କର୍ମ ହାର କମିଯାଆନ୍ତା । ଆଉ ଆମ ରାଜ୍ୟର କୁନ୍ଦୁଲି ପୀଡ଼ିତାଙ୍କ ପରି ଅନେକଙ୍କୁ ମିଳିଯାଆନ୍ତା ନ୍ୟାୟ । କେବଳ ମଧ୍ୟପ୍ରଦେଶରେ ଏପରି ନିୟମ ହେଲେ କିଛି ଲାଭ ହେବ ନାହିଁ । ପୁରା ଦେଶରେ ଏପରି ନିୟମ ଲାଗୁ ହେବା ଉଚିତ । ଯଦ୍ୱାରା ଦୁଷ୍କର୍ମକାରୀଙ୍କ ମନରେ ଭୟ ସୃ୍ଷ୍ଟି ହୁଅନ୍ତା ।