ଟାର୍ଗେଟରେ ଟାଇଗର ! ମହାରାଷ୍ଟ୍ରରେ ସଲମାନଙ୍କ ଫିଲ୍ମକୁ ବିରୋଧ କଲା ଶିବସେନା । କହିଲା, ଆମ ଦଳରେ ମଧ୍ୟ ଏବେ ଟାଇଗର ବଞ୍ଚିଛି

43

ପଦ୍ମାବତୀ ପରେ ଏବେ ଟାର୍ଗେଟରେ ଟାଇଗର ଜିନ୍ଦା ହୈ । ପଦ୍ମାବତୀ ଫିଲ୍ମକୁ ନେଇ ବିବାଦ ଥମି ନଥିବା ବେଳେ ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ଟାଇଗର ଜିନ୍ଦା ହୈ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି । ଡିସେମ୍ବର ୨୨ ତାରିଖରେ ରିଲିଜ ହେବାକୁ ଥିବା ଏହି ଫିଲ୍ମକୁ ଶିବସେନା ବିରୋଧ କରିବା ଆରମ୍ଭ କରିଛି । ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଟାଇଗର ଜିନ୍ଦା ହୈ ଫିଲ୍ମକୁ ବିରୋଧ କରିଥିଲା । ତେବେ ଏହି ଫିଲ୍ମକୁ ବିରୋଧ କରିବା ନେଇ ଶିବସେନା କହିଛି, ଟାଇଗର ଜିନ୍ଦା ହୈ ଫିଲ୍ମ ରିଲିଜ ହେବା ଦ୍ୱାରା ମରାଠୀ ଫିଲ୍ମ ଉପରେ ଏହାର ଅଧିକ ପ୍ରଭାବ ପଡିବ । ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ କ୍ଷତି ସହିବେ ମରାଠୀ ପ୍ରଯୋଜକ ।

tiger-zinda-haiସୂଚନା ଅନୁସାରେ ଟାଇଗର ଜିନ୍ଦା ହୈର ପ୍ରଯୋଜକ ମହାରାଷ୍ଟ୍ରର ସମସ୍ତ ମଲ୍ଟିପ୍ଲେକ୍ସ ଏବଂ ସମସ୍ତ ହଲରେ ପ୍ରତିଦିନ ୫ଟି ସୋ’ ପ୍ରଦର୍ଶିତ କରିବା ପାଇଁ ପୂର୍ବରୁ ବୁକିଂ କରି ସାରିଛନ୍ତି । ଯାହାଦ୍ୱାରା ମରାଠୀ ଫିଲ୍ମକୁ ସ୍କ୍ରିନ ମିଳିବ ନାହିଁ । ଶିବସେନାର ନେତା କହିଛନ୍ତି ଯେ ମରାଠୀ ଫିଲ୍ମକୁ ଯେକୌଣସି ମତେ ପ୍ରାଇମ ଟାଇମ ସୋରେ ସ୍ଥାନ ମିଳିବା ଦରକାର । ଟାଇଗର ଜିନ୍ଦା ହୈ ଯୋଗୁଁ ମରାଠୀ ଫିଲ୍ମକୁ ସ୍କ୍ରିନ ମିଳୁନାହିଁ । ଯଦି ହିନ୍ଦୀ ଫିଲ୍ମକୁ ମରାଠୀ ଫିଲ୍ମ ମୂଲ୍ୟରେ ସ୍ଥାନ ଦିଆଯିବ ତେବେ ସେମାନେ ଏହାର ପୂର୍ଣ୍ଣ ବିରୋଧ କରିବେ । ତାଙ୍କ କହିବା ଅନୁସାରେ ଏହା ତାଙ୍କର ଧମକ ନୁହେଁ ବରଂ ସେ ତାଙ୍କର ହକ ମାଗୁଛନ୍ତି । ଏଭଳି ବିରୋଧ ଯୋଗୁଁ ଏବେ ହଲ ଓ ମଲ୍ଟିପ୍ଲେକ୍ସର ମାଲିକଙ୍କ ମନରେ ଏବେ ଛନକା ପଶିଯାଇଛି ।

ସେହଭଳି ଶିବସେନା ସାଂସଦ ସଞ୍ଜୟ ରାୱତ ଟାଇଗର ଜିନ୍ଦା ହୈ ଫିଲ୍ମକୁ ବଡ ମାଛ ବୋଲି କହିଛନ୍ତି । ଆଉ ଏହି ବଡ ମାଛ ମରାଠୀ ଫିଲ୍ମ ଅଥାର୍ତ ଛୋଟମାଛକୁ ଖାଇବାକୁ ଚେଷ୍ଟା କରୁଛି । ଏହାଛଡା ସେ ଚେତାଇ ଦେଇଛନ୍ତି ଯେ, ଶିବସେନାରେ ମଧ୍ୟ ଟାଇଗର ବଞ୍ଚିଛନ୍ତି ।