୨୦୧୯ ଲୋକସଭା ନିର୍ବାଚନରେ ଏକା ଲଢ଼ିବ ଶିବସେନା ! ବିଜେପି ସହ କରିବ ନାହିଁ ମେଣ୍ଟ

29

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ଓ ତାର ଦୀର୍ଘ ଦିନ ସହଯୋଗୀ ଶିବସେନା ମଧ୍ୟରେ ମଧୁଚନ୍ଦ୍ରିକା ଶେଷ ହୋଇଛି । ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ଆଉ ବିଜେପି ସହିତ ମେଣ୍ଟ ନ କରି ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି । ଆଜି ଶିବସେନା କାର୍ୟ୍ୟକାରିଣୀ ବୈଠକରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏ ନେଇ ଏକ ପ୍ରସ୍ତାବ ଦେବା ପରେ ଏ ନେଇ ସଙ୍କଳ୍ପ ସର୍ବସମ୍ମତି କ୍ରମେ ଗୃହିତ ହୋଇଛି । ଏତଦ ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ୨୮୮ ଆସନରୁ ୧୫୦ଟି ଆସନ ଓ ୪୮ଟି ଲୋକସଭା ଆସନରୁ ୨୫ଟି ଜିଣିବ ବୋଲି ଆଜିର ଏହି କାର୍ୟ୍ୟକାରିଣୀ ବୈଠକରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ଶ୍ରୀ ରାଉତ ବିଜେପି- ଶିବସେନା ସମ୍ପର୍କ ବିଚ୍ଛିନ୍ନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ସେହିପରି ସେନାର ଯୁବ ସଙ୍ଗଠନର ମୁଖ୍ୟ ଆଦିତ୍ୟ ଠାକରେ ଗୋଟିଏ ବର୍ଷ ମଧ୍ୟରେ ମହାରାଷ୍ଟ ସରକାର ଠାରୁ ଅଲଗା ହୋଇଯିବ ବୋଲି ଘୋଷଣା କରିଥିଲେ । ଯଦିଓ ଶିବସେନା ମହାରାଷ୍ଟ୍ରରେ ଶିବସେନା ବିଜେପି ମେଣ୍ଟ ରହିଛି, ତଥାପି ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ସମାଲୋଚନା କରିବାରେ ପଛାଉ ନାହିଁ ।

ଆଜିର ଶିବସେନାର ଏହି କାର୍ୟ୍ୟକାରିଣୀ ବୈଠକରେ ଦଳର ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଉଦ୍ଧବ ଠାକରେ ପୁଣି ଥରେ ସେନାର ଅଧ୍ୟକ୍ଷ ନିର୍ବାଚିତ ହେବା ପ୍ରାୟ ସ୍ଥିର ହୋଇ ସାରିଛି । ୨୦୧୩ ମସିହା ଜାନୁଆରି ୨୩ ତାରିଖରେ ଉଦ୍ଧବ ଠାକ୍ରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଆଜି ପୁଣି ଦଳର ଅଧ୍ୟକ୍ଷଭାବେ ଶ୍ରୀ ଠାକେରେଙ୍କୁ ନିର୍ବାଚିତ କରାଯିବା କାର୍ଯ୍ୟକ୍ରମ ରହିଛି  ।