ରାମ ନାମରେ କମ୍ପୁଛି ଅଯୋଧ୍ୟା: ରାମମନ୍ଦିର ନିର୍ମାଣ ଦାବିରେ ଧର୍ମସଭାରେ ଏକାଠି ହେଲେ ହିନ୍ଦୁ ସଂଗଠନର ଲକ୍ଷାଧିକ କାର୍ଯ୍ୟକର୍ତ୍ତା

ରାମ ଲଲାଲଙ୍କ ଦର୍ଶନ କଲେ ଉଦ୍ଧବ, ଅଧ୍ୟାଦେଶ ଆଣିବାକୁ ଦାବି

132

କନକ ବ୍ୟୁରୋ: ରାମନାମରେ କମ୍ପୁଛି ରାମଜନ୍ମଭୂମି ଅଯୋଧ୍ୟା । ରାମମନ୍ଦିର ନିର୍ମାଣ ଦାବିରେ ଆଜି ଅଯୋଧ୍ୟାରେ ଆୟୋଜିତ ଧର୍ମ ସଂସଦରେ ଏକତ୍ରିତ ହୋଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓ ଆରଏସଏସର ଲକ୍ଷ ଲକ୍ଷ କାର୍ଯ୍ୟକାର୍ତା । ଆଜି ବିଶ୍ୱହିନ୍ଦୁ ପକ୍ଷରୁ ଧର୍ମ ସଂସଦ ଆୟୋଜନ କରାଯାଇଛି । ସୁପ୍ରିମକୋର୍ଟ ରାୟ ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ସଂସଦର ଶୀତଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ଏହି ସଭାରେ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।

ଏହି ସଭାରେ ବହୁ ସଂଖ୍ୟାରେ ସାଧୁସନ୍ଥଙ୍କୁ ମଧ୍ୟ ଏକାଠି ହୋଇଛନ୍ତି । ଆଇନଶୃଙ୍ଖଳାକୁ ନଜରରେ ରଖି ଅଯୋଧ୍ୟାରେ ୧୪୪ ଧାରା ଲାଗୁ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଯୋଧ୍ୟା ଏକ ପ୍ରକାର ପୁଲିସ ଛାଉଣିରେ ପରିଣତ ହୋଇଛି । ଏହାକୁ ନେଇ ଲୋକମାନେ ଭୟ ଓ ଆଶଙ୍କାରେ ଥିବା ଦେଖିବାକୁ ମିଳିଛି ।

ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଅଧ୍ୟାଦେଶ ଆଣିବାକୁ ଦାବି କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ରାମ ଜନ୍ମଭୂମିରେ ରାମଲାଲାଙ୍କ ଦର୍ଶନ ପରେ ଅଯୋଧ୍ୟା ମାଟିରୁ ଏହି ଦାବି କରିଛନ୍ତି ଉଦ୍ଧବ । ଏହା ସହିତ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ କଟାକ୍ଷ କରିଛନ୍ତି ଉଦ୍ଧବ । ଆଜି ସକାଳୁ ସକାଳୁ ପରିବାର ସହ ଯାଇ ରାମ ଜନ୍ମଭୂମିରେ ରାମଲାଲାଙ୍କୁ ଦର୍ଶନ କରିଥିଲେି ଠାକରେ । ସେ ରାମଲାଲାଙ୍କ ଦର୍ଶନ କରିବା ସହ ରାମମନ୍ଦିର ନିର୍ମାଣ କରିବା ଦାବିକୁ ଜୋର ଦେଇଛନ୍ତି । ଗତକାଲିଠାରୁ ହଜାର ହଜାର ସଂଖ୍ୟାରେ ଶିବସୈନିକଙ୍କ ସହ ଅଯୋଧ୍ୟାକୁ ଆସି ସେଠାରେ ୨ଦିନିଆ ସମ୍ମିଳନୀ କରିଛନ୍ତି ଉଦ୍ଧବ ।