ଶୀତଳ ଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର ! ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ଉତ୍ସବ ସମ୍ପନ୍ନ

73

କନକ ବ୍ୟୁରୋ : ସମ୍ବଲପୁର ନନ୍ଦପଡ଼ା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ବିର୍ବନ୍ଧ ଉତ୍ସବ ସମ୍ପନ୍ନ ହୋଇଛି । ରୀତିନୀତି ଅନୁଯାୟୀ ଗତକାଲି ରାତି ୯ଟାରେ ମହାଦେବଙ୍କ ପୂଜାର୍ଚ୍ଚନା ହୋଇଥିଲା । ପରେ ବରପିତା ଓ ସପ୍ତଋଷୀ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିଲେ । ଘଂଟଘଂଟା, ଶଂଖ ଓ ବିଭିନ୍ନ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବ କନ୍ୟା ଖୋଜା ପଟୁଆର । କନ୍ୟା ଖୋଜି ଖୋଜି ବରପକ୍ଷ ପହଂଚିଥିଲେ ସମ୍ବଲପୁର ହାଟପଦା ସୁତାରଗଳି ନିବାସୀ ନିଳମଣି ବିଦ୍ୟାଧରଙ୍କ ବାସଭବନରେ । ସେଠାରେ ବରପକ୍ଷଙ୍କୁ ସ୍ୱାଗତ କରିଥିଲେ କନ୍ୟା ଘର ଲୋକ ।

ଏହାପରେ କନ୍ୟାଘରେ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିବା ପରେ ରାତି ୧ଟାରେ ନିର୍ବନ୍ଧ କରାଯାଇଥିଲା । ସପ୍ତଋଷୀଙ୍କ ଉପସ୍ଥିତିରେ ମହାଦେବଙ୍କ ବେଲପତ୍ର, ଫୁଲ ଏବଂ ଗୋଟିଏ ବିଡା ସରଗି ପତ୍ର କନ୍ୟାପକ୍ଷଙ୍କୁ ଦିଆଯାଇ ନିର୍ବନ୍ଧ ସମ୍ପନ୍ନ ହୋଇଛି । ନିର୍ବନ୍ଧ ପରେ ନୃସିଂହଙ୍କ ଦେବ ନିମନ୍ତ୍ରଣ ନୀତି ମଧ୍ୟ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ତାରିଖ ରାତିରେ ହର-ପାର୍ବତୀଙ୍କ ବିବାହ ଉତ୍ସବ ସମ୍ନନ ହେବ । ଏବଂ ୩୦ ତାରିଖ ରାତିରେ ଦେବଦମ୍ପତି ନଗର ପରିକ୍ରମା ବାହାରି ଭକ୍ତଙ୍କୁ ଦର୍ଶନ ଦେବେ । ୩୧ ତାରିଖ ଅପରାହ୍ନରେ ଦେବ ଦମ୍ପତି ମନ୍ଦିରରେ ପ୍ରବେଶ କରିବା ନେଇ ନୀତି ଚୂଡାନ୍ତ ହୋଇଛି ।