ହଳ କରୁଛି ପାଠୋଇ ଝିଅ ! ଗଞ୍ଜାମ ଜିଲ୍ଲାର ସୁନା ଝିଅ ଶିବାନୀକୁ ନେଇ ଚର୍ଚ୍ଚା

330

କନକ ବ୍ୟୁରୋ : ହଳ ଧରିଲେ ପାଠୋଇ ଝିଅ । ଗଞ୍ଜାମ ଜିଲ୍ଲାରେ ଯୁକ୍ତ ଦୁଇରେ ପାଠ ପଢୁଥିବା ଜଣେ ଝିଅ ପରିବାରକୁ ଚାଷବାସରେ ସହାୟତା କରିବାକୁ କଲମ ଧରିବା ହାତରେ ହଳ ଲଙ୍ଗଳ ଧରିବା ଚର୍ଚ୍ଚାର ବିଷୟ ହୋଇଛି । ଗଞ୍ଜାମ ଜିଲ୍ଲା ଶୁରିଙ୍ଗି ଗାଁର ଶିବାନୀ ଜାନି । ବାପା, ମାଆଙ୍କୁ ମିଶାଇ ପରିବାରରେ ତାଙ୍କର ୫ ସଦସ୍ୟ । ଅଭାବ ଅନଟନ ଭିତରେ ଶିବାନୀ ଯୁକ୍ତ ଦୁଇରେ ପାଠ ପଢୁଛନ୍ତି । ହେଲେ ପରିବାରର ସବା ସାନଝିଅ ହୋଇ ମଧ୍ୟ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି । ଜଣେ ପକ୍କା ଚାଷୀ ପରି ଚାଷବାସର ସବୁକାମ ତାଙ୍କୁ ଜଣା । ଧାନ ରୁଆ, ବେଉଷଠାରୁ ଆରମ୍ଭ କରି ବଳଦ ଯୋଚି, ବିଲରେ ହଳ କରିବା ସବୁ କାମରେ ସେ ପାରଙ୍ଗମ । ପ୍ରତିଦିନ ବାପାଙ୍କ ସହ ବିଲକୁ ଯାଆନ୍ତି । ଆଉ ବଳଦଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାନ୍ତି । ହିଡ ହାଣି ସାଇଜ୍ କରନ୍ତି । ଧାନ ରୁଆ, ବଛା ବି କରନ୍ତି । ଶିବାନୀଙ୍କ ଏଭଳି କାମ ଦେଖି ସମସ୍ତେ କହିନ୍ତି ଗାଁର ସୁନା ଝିଏ ଶିବାନୀ ।

ଖାଲି ବିଲରେ ହଳ କରନ୍ତିନି ଶିବାନୀ । ଯେଉଁ ହାତରେ ସେ ହଳ ଲଙ୍ଗଳ ଧରି ବିଲରେ କାମ କରନ୍ତି, ପୁଣି ସେହି ହାତରେ ଖାତା, କଲମ ବି ଧରନ୍ତି । ସବୁ ଅଭାବ ଅସୁବିଧା ସତ୍ୱେ ଏବେ ସେ ଯୁକ୍ତ ଦ୍ୱିତୀୟ ବର୍ଷରେ ପଢୁଛନ୍ତି । ସଜବାଜ ହୋଇ କଲେଜ ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସୁଥିବା ଏହି ଝିଅ ଯେ, ପରିବାରକୁ ସହାୟତା କରିବା ପାଇଁ ବିଲରେ ହଳ ବୁଲାଉଛି । ଏକଥା ଜାଣିବା ପରେ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି କଲେଜ ଅଧ୍ୟାପକ, ଅଧ୍ୟକ୍ଷ ସମସ୍ତଙ୍କ ମନରେ ତାଙ୍କ ପାଇଁ ଯଥେଷ୍ଟ ସମ୍ମାନ । ତାଙ୍କର ଧୈର୍ଯ୍ୟ, ସାହସ ଓ ଭିନ୍ନ ବ୍ୟକ୍ତିତ୍ୱ ପାଇଁ ଏବେ ସେ ସମସ୍ତଙ୍କର ପ୍ରିୟପାତ୍ର ।