ବାବ୍ରି ମସଜିଦ ମାଲିକାନା ପାଇଁ ସୁପ୍ରିମକୋର୍ଟ ଗଲା ସିଆ ୱାକଫ ବୋର୍ଡ ! ମନ୍ଦିର ଭଙ୍ଗାଯାଇ ନିର୍ମାଣ ହୋଇଥିଲା ମସଜିଦ୍ ବୋଲି ବୋର୍ଡର ପିଟିସନରେ ଉଲ୍ଲେଖ

39

କନକ ବ୍ୟୁରୋ: ମନ୍ଦିର ଭଙ୍ଗାଯାଇ ନିର୍ମାଣ କରାଯାଇଥିଲା ବାବ୍ରି ମସଜିଦ । ସିଆ ୱାକଫ ବୋର୍ଡ ସୁପ୍ରିମକୋର୍ଟରେ ଦେଇଥିବା ଆବେଦନରେ ଏହା ମାନିଛି । ବାବ୍ରି ମସଜିଦର ମାଲିକାନା ନେଇ ମାମଲା ହାରିବାର ୭୧ବର୍ଷ ପରେ ପୁଣି ଥରେ ସିଆ ୱାକଫ ବୋର୍ଡ ସୁପ୍ରିମକୋର୍ଟରେ ପଂହଚିଛି ।

୧୯୪୬ ମାର୍ଚ୍ଚ ୩୦ତାରିଖରେ ତଳ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରିଛି ୱାକଫ ବୋର୍ଡ । ମସଜିଦ ସୁନ୍ନି ୱାକଫ ବୋର୍ଡର ବୋଲି ତଳ କୋର୍ଟ ରାୟ ଶୁଣାଇଥିଲେ । ଏହି ଆବେଦନରେ ବୋର୍ଡ ଉଲ୍ଳେଖ କରିଛି ଯେ, ସେହି ସ୍ଥାନରେ ଥିବା ମନ୍ଦିରକୁ ଭଙ୍ଗାଯାଇ ବାବ୍ରି ମସଜିଦ ନିର୍ମାଣ କରାଯାଇଥିଲା । ରାମ ଜନ୍ମଭୂମି- ବାବ୍ରି ମସଜିଦ ବିବାଦ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଅନ୍ୟ ଆବେଦନକାରୀଙ୍କ ସହ ୱାକଫ ବୋର୍ଡର ଆବେଦନକୁ ନେଇ ମଧ୍ୟ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ବୋର୍ଡ ନିବେଦନ କରିଛି । ବାବ୍ରି ମସଜିଦକୁ ସିଆ ସମ୍ପ୍ରଦାୟ ନିର୍ମାଣ କରିଥିବାରୁ ଏହାକୁ ସୁନ୍ନି ସମ୍ପ୍ରଦାୟର ସମ୍ପତି ବୋଲି ରାୟ ଶୁଣାଇ ଟ୍ରାଏଲ କୋର୍ଟ ଭୁଲ୍ କରିଛନ୍ତି ବୋଲି ନିଜ ଆବେଦନରେ କହିଛି ସିଆ ୱାକଫ ବୋର୍ଡ ।

ମୋଗଲ ସମ୍ରାଟ ବାବରଙ୍କ ମନ୍ତ୍ରୀ ଅବଦୁଲ ମୀର ନିଜ ଅର୍ଥରେ ଏହି ମସଜିଦ ନିର୍ମାଣ କରିଥିଲେ । ଏବଂ ଅବଦୁଲ ଜଣେ ସିଆ ମୁସଲିମ ହୋଇଥିବା ଯୋଗୁଁ ବାବରୀ ମସଜିଦ ଉପରେ ସିଆ ମୁସଲିମ ସମ୍ପ୍ରଦାୟର ଅଧିକାର ଅଛି ବୋଲି ୱାକଫ ବୋର୍ଡ କହିଛି । ତେବେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବାର ଦିନକ ପୂର୍ବରୁ ବିବାଦର ସମାଧାନ ପାଇଁ ମସଜିଦକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ବୋଲି ୱାକଫ ବୋର୍ଡ କହିଥିଲା ।