ନିଆଳି ପରେ ଆଳିପିଙ୍ଗଳରେ ଅଜଣା ଜୀବର ଆକ୍ରମଣରେ ପୁଣି ମେଣ୍ଢା ମୃତ୍ୟୁ ! ସ୍ଥାନୀୟ ଅଞ୍ଚଳରେ ଆତଙ୍କ

24

କନକ ବ୍ୟୁରୋ : ନିଆଳି ପରେ ଆଳିପିଙ୍ଗଳରେ ଅଜଣା ଜୀବର ଆକ୍ରମଣରେ ପୁଣି ମେଣ୍ଢା ମୃତ୍ୟୁ । ଅଜଣା ଜୀବର ଟେର ପାଉନି ବନବିଭାଗ । ରାୟଙ୍କପାଟଣା ଗାଁର ପ୍ରତାପ ଦାସଙ୍କ ୧୨ଟି ମେଣ୍ଢା ମୃତ୍ୟୁ ହୋଇଥିବା ୩ଟି ମେଣ୍ଢା ଆହତ ଅଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଗତ ୨୦ ଦିନ ତଳେ ୯ଟି ମେଣ୍ଢା ମରିଥିଲା । ପୁଣି ଆଜି ୧୨ଟି ମେଣ୍ଢାର ମୃତ୍ୟୁ ଫଳରେ ଗାଁରେ ଆତଙ୍କ ଖେଳିଯାଇଛି । ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବା ପ୍ରତାପ ଦାସ କହିଛନ୍ତି । ଏହି ଘଟଣା ପରେ ସକଳୁ ପ୍ରାଣୀ ଚିକିତ୍ସକ ପକ୍ଷରୁ ଏକ ଟିମ୍ ଘଟଣା ସ୍ଥଳରେ ପହଁଚି ଆହତ ମେଣ୍ଢାକୁ ଚିକିତ୍ସା କରିଛି ।

ଏହା ସହ ମୃତ ମେଣ୍ଢା ଗୁଡିକୁ ବ୍ୟବଛେଦ ପାଇଁ ପରୀକ୍ଷା କେନ୍ଦ୍ରକୁ ନିଆ ଯାଇଥିବା ପ୍ରାଣୀ ଚିକିତ୍ସା ଅଧିକାରି କହିଛନ୍ତି । ମେଣ୍ଢା ମୃତ୍ୟୁର ଏ ଯାଏ କୌଣସି କ୍ଷତିପୂରଣ ମିଳିନାହିଁ । ପୁଣି ଏତେ ସଂଖ୍ୟକ ମେଣ୍ଢାଙ୍କ ମୃତ୍ୟୁ ଫଳରେ ମେଣ୍ଢା ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପଟେ ବନ ବିଭାଗ ପକ୍ଷରୁ ଏ ଯାଏଁ କୌଣସି ଅଧିକାରୀ ଗାଁରେ ପହଁଚି ନାହାନ୍ତି । କ୍ଷତି ପୁରଣ ଦାବି ରେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ନିଆଳିରେ ଶହ ଶହ ମେଣ୍ଢା ମଲେ, ଆଉ ଏବେ ଆଳିପିଙ୍ଗଳରେ ମଧ୍ୟ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢା ମୃତ୍ୟୁ ହେଉଥିବା ବେଳେ ଅଜଣା ଜନ୍ତୁଙ୍କ ଧରିବାରେ ଫେଲ ମାରିଛି ବନ ବିଭାଗ ।