ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଆତଙ୍କ ! ଚଣ୍ଡିକଣା ଓ ଅଡଶପୁରରେ ୧୪ ମେଣ୍ଢାଙ୍କ ମୃତ୍ୟୁ । ମେଣ୍ଢାପାଳଙ୍କ ମଧ୍ୟରେ କୋକୁଆ ଭୟ

28

କନକ ବ୍ୟୁରୋ: ସଙ୍କଟରେ କଟକ ଜିଲ୍ଲା ନିଆଳିର ଚାଷୀ କୂଳ । ପୁଣି ଫେରିଛି ନିଆଳି ମେଣ୍ଢା ମୃତ୍ୟୁ ଆତଙ୍କ । ଚଣ୍ଡିକଣାରେ ଆଉ ୩ଟି ମେଣ୍ଢାର ପେଟ କଣା କରି ହତ୍ୟା କରାଯାଇଛି । ସେହିଭଳି କଂଟାପଡା ଅଡଶପୁରର ବବଜା ଗାଁରେ ମଧ୍ୟ ୧୧ଟି ମେଣ୍ଢାଙ୍କର ଅନୁରୂପ ମୃତ୍ୟୁ ହୋଇଛି । ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁକୁ ନେଇ ଉଭୟ ନିଆଳି ଓ କଂଟାପଡାର ମେଣ୍ଢାପାଳକଙ୍କ ମଧ୍ୟରେ ଛନକା ପଶିଛି ।

ପୁଣି ଫେରିଲା ଅଜଣା ଜନ୍ତୁର ଆତଙ୍କ । ରାତି ଅଧରେ ମେଣ୍ଢାଙ୍କ ମୃତ୍ୟୁ । ରବିବାର ରାତିରେ ସେହି ନିଆଳିର ଗୋବିନ୍ଦପଦା ଗାଁରେ ୩ଟି ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ନିଖୋଜ ହୋଇଯାଇଛି । ଗୋବର୍ଦ୍ଧନ ସ୍ୱାଇଁ ନାମକ ଜଣେ ଚାଷୀଙ୍କ ଗୁହାଳ ଭିତରେ ପଶି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ କୌଣସି ଅଜଣା ଜନ୍ତୁ ଗୁହାଳରେ ପଶି ଏମାନଙ୍କ ମାରିଦେଇଥିବା କୁହାଯାଉଛି । ମେଣ୍ଢାମାନଙ୍କ ପେଟକୁ କଣା କରି ମାରିଦେଇଥିବା ଦେଖିବାକୁ ମିଳିଛି ।

ଗତ ତିନିମାସ ତଳେ ନିଆଳି ଅଂଚଳରେ ଖେଳିଯାଇଥିଲା ମେଣ୍ଢା ମଡକର ଆତଙ୍କ । ମାତ୍ର ୨ ମାସରେ ଶତାଧିକ ମେଣ୍ଢାଙ୍କୁ ମାରିଥିଲା ଅଜଣା ଜନ୍ତୁ । ଏହାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ମୁତୟନ ହୋଇଥିଲେ । ଗୋଟିଏ ବିଲୁଆକୁ ମଧ୍ୟ ଧରି ନନ୍ଦନକାନନ ନିଆଯାଇଥିଲା । ଏପଟେ ପୁଣି ଥରେ ଏପରି ମେଣ୍ଢାଙ୍କୁ ପେଟ ଚିରି ମାରିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣା ଏବେ ନୂଆ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।