ପାଟନା ସାହିବରୁ କଂଗ୍ରେସ ଟିକେଟରେ ଲଢିବେ ଶତ୍ରୁଘ୍ନ ସିହ୍ନା ! ରବିଶଙ୍କର ପ୍ରସାଦଙ୍କ ସହ ହେବ କଡା ଟକ୍କର ।

94

କନକ ବ୍ୟୁରୋ : ପାଟନା ସାହିବ ଆସନରୁ ଏଥର କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇବେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା । ଆଜି ବିଧିବଦ୍ଧ ଭାବେ ସେ କଂଗ୍ରେସରେ ସାମିଲ ହେବା ପରେ, ଦଳ ପକ୍ଷରୁ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି ।  କଂଗ୍ରେସରେ ମିଶିବା ପରେ ସିହ୍ନା କହିଛନ୍ତି କଂଗ୍ରେସରେ ରହି ଲୋକଙ୍କ ପାଇଁ କାମ କରିବି । ପୂର୍ବରୁ ମଧ୍ୟ ସେ କହିସାରିଥିଲେ ଯେ ପରିସ୍ଥିତି ଯାହା ବି ହେଉ, ସ୍ଥାନ ସେଇଟା ହିଁ ରହିବ । ଅର୍ଥାତ ପାଟଣା ସାହିବରୁ କଂଗ୍ରେସ ଟିକଟରୁ ନିର୍ବାଚନ ଲଢିବା ପାଇଁ ସେ ଇସାରା ଦେଇଥିଲେ ।

ଅଭିନେତା ତଥା ବିହାରି ବାବୁ ଭାବେ ପରିଚିତ ସିହ୍ନା ଗତ କିଛି ଦିନ ହେବ ବିଜେପିରେ ଥିଲେ ବି ଦଳ ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ । ଗତବର୍ଷ ବିଜେପି ତରଫରୁ ଶତ୍ରୁଘ୍ନ ସିହ୍ନାଙ୍କୁ ପାଟନା ସାହିବରୁ ଟିକେଟ୍ ଦିଆଯାଇଥିବା ବେଳେ ଚଳିତଥର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାର୍ଟି ପାଟନା ସାହିବରୁ ଟିକେଟ୍ ଦେଇଛି । ତେବେ ବିଜେପିରେ ଥିଲା ସମୟରେ ମଧ୍ୟ ସିହ୍ନା କଂଗ୍ରେସ ଅଧ୍ୟକ୍ଷଙ୍କ କେତେ ସ୍ଥାନରେ ପ୍ରଶଂସା କରିଥିଲେ । ସେ କଂଗ୍ରେସର ନ୍ୟାୟ ଯୋଜନାକୁ ମାଷ୍ଟର ଷ୍ଟ୍ରୋକ୍ ବୋଲି ମଧ୍ୟ କହିଥିଲେ ।