ଧୋନୀଙ୍କ ବ୍ୟାଟିଂ ଅର୍ଡର ନେଇ ବିବାଦ ମଧ୍ୟରେ ମୁହଁ ଖୋଲିଲେ ରବି ଶାସ୍ତ୍ରୀ । କହିଲେ, ଧୋନୀଙ୍କୁ ଲୋୟର ଅର୍ଡରରେ ପଠାଇବା ଥିଲା ଟିମର ନିଷ୍ପତି ।

775

କନକ ବ୍ୟୁରୋ : ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠିଥିଲା । ଆଉ ଏହା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି ଧୋନୀଙ୍କୁ ଲୋୟର ଅର୍ଡରରେ ଖେଳାଇବା ଟିମ୍ ଇଣ୍ଡିଆର ନିଷ୍ପତି ଥିଲା । ଏବଂ ଧୋନୀ ଜଣେ ଭଲ ଫିନିସର ହୋଇଥିବାରୁ ତାଙ୍କୁ ଶେଷ ଆଡକୁ ପଡିଆକୁ ଓହ୍ଲାଇବାକୁ ପୂର୍ବରୁ ଦଳ ନିଷ୍ପତି ନେଇଥିଲା ।

ସେହି ଅନୁଯାୟୀ ଋଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ କରିବା ପାଇଁ ପଠାଯାଇଥିଲା । ଶାସ୍ତ୍ରୀ ଆହୁରି କହିଛନ୍ତି ଯଦି ଧୋନୀଙ୍କୁ ଟପ୍ ଅର୍ଡରରେ ପଠାଯାଇଥାନ୍ତା ଏବଂ ସେ ଆଉଟ୍ ହୋଇଯାଇଥାନ୍ତେ ତେବେ ଦଳର ପ୍ରଦର୍ଶନ ଆହୁରି ଖରାପ ହୋଇଥାନ୍ତା । ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ସଚିନ୍ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ପ୍ରଶ୍ନ ଉଠାଇଥିଲେ । ସଚିନ୍ କହିଥିଲେ ଧୋନୀଙ୍କୁ ଟପ୍ ଅର୍ଡରରେ ଖେଳାଯାଇଥିଲେ ହୁଏତ ଖେଳ ଟିକେ ଅଲଗା ହେବାର ସମ୍ଭାବନା ରହିଥିଲା ।