ଶଶି ଚାଲିଗଲେ ହେଲେ ସ୍ମୃତି ଛାଡିଗଲେ । ପଢନ୍ତୁ ଏହି ମହାନ କଳାକାରଙ୍କ ସଂପର୍କରେ କିଛି ଅଜଣା କଥା

49

ଗତକାଲି ବଲିଉଡର ପ୍ରଖ୍ୟାତ କଳାକାର ଶଶି କପୁରଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ଅସୁସ୍ଥ ହୋଇପଡିଥିବା ଶଶି କପୁର ମୁମ୍ବାଇର କୋକିଳାବେନ୍ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ବି-ଟାଉନର ଏହି ମହାଜନନାୟକଙ୍କର ଜନ୍ମ ୧୯୩୮ ମସିହା ମାର୍ଚ୍ଚ ୧୮ ତାରିଖରେ କୋଲକାତାରେ ହୋଇଥିଲା । ତେବେ ତାଙ୍କର କିଛି ସ୍ମୃତିକୁ ଆଜି ଆମେ ଆପଣଙ୍କ ନିକଟରେ ଆଲୋଚନା କରିବାକୁ ଯାଉଛୁ ।

ସ୍ୱର୍ଗତ ଶଶି କପୁରଙ୍କ ପ୍ରକୃତ ନାମ ଥିଲା ବଲବୀର ରାଜ କପୁର । ପିଲାଟି ଦିନରୁ ଶଶିଙ୍କର ଫିଲ୍ମ ପ୍ରତି ପ୍ରବଳ ଆକର୍ଷଣ ରହିଥିଲା । ହେଲେ ପିତା ବଲିଉଡର ଅନ୍ୟତମ କିମ୍ବଦନ୍ତୀ ପୁରୁଷ ପୃଥ୍ୱୀରାଜ କପୁର ସହଯୋଗ କରିନଥିଲେ । କାରଣ, ସେ ଚାହୁଁଥିଲେ ତାଙ୍କ ପୁଅ ପିତୃ ପରିଚୟକୁ ଆଧାର କରିବା ବଦଳରେ ନିଜ ସଂଘର୍ଷ ବଳରେ ଅଭିନେତା ହୁଅନ୍ତୁ ବୋଲି । ପିତାଙ୍କ ଏହି ଚ୍ୟାଲେଂଚକୁ ସ୍ୱୀକାର କରିବା ସହ ନିଜ ଅଭିନୟର ଯାଦୁରେ ବଲିଉଡରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଥିଲେ ଶଶି କପୁର ।

ସୂଚନା ଅନୁସାରେ, ୧୬୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଶଶି । ୧୪୮ଟି ହିନ୍ଦୀ ଏବଂ ୧୨ଟି ଇଂରାଜୀ ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ୬୦ ଓ ୭୦ ଦଶକରେ ଜବ୍ ଜବ୍ ଫୁଲ ଖିଲେ, କନ୍ୟାଦାନ, ଶର୍ମିଲି, ଆ ଗଲେ ଲଗ୍ ଯା, ରୋଟି କପଡା ଔର ମକାନ, ଚୋର ମଚାଏ ଶୋର, ଦିୱାର, କମିକଭି ଏବଂ ଫକିରା ଆଦି ଏକାଧିକ ହିଟ୍ ଫିଲ୍ମ ଦେଇଥିଲେ ସେ । ପୃଥ୍ୱୀରାଜଙ୍କର ସବାସନ ପୁଅ ଏବଂ ରାଜ କପୁର ଓ ଶମି କପୁରଙ୍କ ଭାଇ ଥିଲେ ଶଶି ।

୧୯୫୭ରେ ଶଶି ଭାରତ ଏବଂ ପୂର୍ବ ଏସିଆ ଯାତ୍ରରେ ଆସିଥିବା ବ୍ରିଟିଶ ନାଟକ ଗ୍ରୁପ ସେକ୍ସପିୟରାନାରେ ସାମିଲ ହେବା ପରେ ଗ୍ରୁପର ପରିଚାଳକଙ୍କ କନ୍ୟା ଜେନିଫର କେଣ୍ଡାଲଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରେ ଜେନିଫରଙ୍କ ପ୍ରେମରେ ପଡିଯାଇଥିଲେ ରୋମାଣ୍ଟିକ ଅଭିନେତା ଶଶି । ପରେ ଦୁହିଁଙ୍କର ବିବାହ ହୋଇଥିଲା । କୋ÷ଣସି ବିଦେଶିନୀଙ୍କୁ ବିବାହ କରିବାରେ ଶଶି କାପୁର ବଂଶର ପ୍ରଥମ ପୁଅ ହୋଇଥିବା ବେଳେ ବିବାହ ପରେ ଫିଲ୍ମରେ ଅଭିନୟ କରିବାରେ ପରିବାରର ପ୍ରଥମ ବୋହୂ ଥିଲେ ଜେନି । ତେବେ ୧୯୮୪ରେ କ୍ୟାନସର ରୋଗାକ୍ରାନ୍ତ ହୋଇ ଜେନିଫର ଶଶି ଏବଂ ତିନି ସନ୍ତାନ କୁନାଲ, କରନ, ଓ ସଞ୍ଜନାଙ୍କୁ ଛାଡି ମୃତ୍ୟୁବରଣ କରିଥିଲେ । ପତ୍ନୀଙ୍କ ମୃତ୍ୟୁପରେ ଖୁବ୍ ନିଃସଙ୍ଗତା ଅନୁଭବ କରୁଥିଲେ ଶଶି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାରେ ଲାଗିଲା । ଅସୁସ୍ଥତା ଯୋଗୁ ଶଶି ଅଭିନୟ କ୍ଷେତ୍ରରୁ ଦୂରେଇ ଆସିଲେ ।

୭୦ଦଶକରେ ଶଶି ସଫଳ ଅଭିନେତା ହୋଇଯାଇଥିଲେ । ତାଙ୍କ ପାଖରେ ପ୍ରାୟ ୧୫୦ଟି ଫିଲ୍ମ ଧାଡିରେ ରହୁଥିଲେ । । ତେଣୁ ଦିନକୁ ଏକାଧିକ, ଏପରିକି ୩/୪ଟି ଫିଲ୍ମର ସୁଟିଂ ବି କରିବାକୁ ପଡୁଥିଲା ତାଙ୍କୁ । ଏପରି ସ୍ଥିତିରେ ଭାଇ ରାଜ କପୁର ତାଙ୍କୁ ଟ୍ୟାକ୍ସି ବୋଲି ଡାକୁଥିଲେ । ନିଜ ବ୍ୟସ୍ତ ଜୀବନ ଯୋଗୁଁ ତାଙ୍କୁ ବହୁ ଫିଲ୍ମ ନିର୍ମାତାଙ୍କ ବ୍ୟଙ୍ଗୋକ୍ତର ଶିକାର ହେବାକୁ ପଡୁଥିଲା । ତେବେ ମାତ୍ରାଧିକ ଫିଲ୍ମରେ ଅଭିନୟ ତାଙ୍କ କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ବି ପକାଇଥିଲା ।

ଶଶି କପୁର ଅଶି ଦଶକରେ ଫିଲ୍ମ ନିର୍ମାଣ କ୍ଷେତ୍ରରେ ପାଦ ଦେଲେ ଏବଂ ‘ଜୁନୁନ୍’ ନିର୍ମାଣ ହେଲା । କଲିୟୁଗ, ୩୬ ଚୋ÷ରଙ୍ଗୀ ଲେନ, ବିଜେତା, ଉତ୍ସବ ପରି ଫିଲ୍ମ ନିର୍ମାଣ କରିଥିଲେ ସେ । ବକ୍ସ ଅଫିସରେ ଏହି ଫିଲ୍ମଗୁଡିକ ଏତେ ସଫଳ ହୋଇନଥିଲେ ବି ସମୀକ୍ଷକମାନେ ଏଗୁଡିକୁ ପସନ୍ଦ କରିଥିଲେ । ନବେ ଦଶକରେ ସ୍ୱାସ୍ଥ୍ୟ ପୂରା ବିଗିଡିଯିବାରୁ ଫିଲ୍ମରେ କାମ କରିବା ପ୍ରାୟ ବନ୍ଦ କରିଦେଲେ ଶଶି । ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ ଜିନା ତାଙ୍କର କ୍ୟାରିଅରର ପ୍ରାୟ ଶେଷ ଫିଲ୍ମ ଥିଲା ।

ଶଶିଙ୍କ ସାତଟି କଥା

– ୧୯୪୪ ମସିହାରେ କ୍ୟାରିୟର ଆରମ୍ଭ କରିଥିଲେ ଶଶି । ପିତାଙ୍କ ପୃଥ୍ୱୀରାଜ ଥିଏଟରରେ ଅଭିନୀତ ଶକୁନ୍ତଳା ନାମକ ନାଟକରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା । ୪୦ଦଶକରେ ଏକାଧିକ ଫିଲ୍ମରେ ଶିଶୁ କଳାକାର ଭାବେ ବି ସେ ଅଭିନୟ କରିଥିଲେ ।

– ୧୯୬୧ରେ ଅଭିନେତା ଭାବେ ୟଶ ଚୋପ୍ରାଙ୍କ ଫିଲ୍ମ ‘ଧର୍ମପୁତ୍ର’ରୁ ତାଙ୍କର ସିନେ କ୍ୟାରିଅର ଆରମ୍ଭ ହେଲା । ସ୍ୱାଧୀନତା ପୂର୍ବର ସ୍ଥିତିକୁ ନେଇ ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀଙ୍କ ଏହି ନାମରେ ଥିବା ଉପନ୍ୟାସ ଉପରେ ଫିଲ୍ମଟି ଆଧାରିତ ହୋଇଥିଲା ।

– ୧୯୬୦ରେ ନିଜର ଚକୋଲେଟି ଇମେଜ ଯୋଗୁ ଏକାଧିକ ରୋମାଂଟିକ ଫିଲ୍ମରେ କାମ କରିଥିଲେ ବି ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲଫ ହୋଇଥିଲା । ସେ ସମୟରେ ନାୟକ ଦିଲୀପ କୁମାର, ଦେବାନନ୍ଦ, ରାଜ କପୁର, ରାଜେନ୍ଦ୍ର କୁମାର ଏବଂ ମନୋଜ କୁମାରଙ୍କ ମଧ୍ୟରେ ନିଜ ପାଇଁ ସ୍ଥାନ କରିପାରିନଥିଲେ ଶଶି ।

– ସତୁରୀ ଦଶକରେ ସେ ହୋଇଗଲେ ବ୍ୟସ୍ତ ଅଭିନେତା । ତାଙ୍କ ବ୍ୟସ୍ତତାକୁ ନେଇ ଫିଲ୍ମ ନିର୍ମାତା ମୃଣାଳ ସେନ କହିଥିଲେ ଯେ, ଶଶି ଗୋଟିଏ ଫିଲ୍ମରେ ଟାୱେଲ ଗୁଡାଇ ହୋଇ ବାଥରୁମରେ ପ୍ରବେଶ କରୁଥିବା ବେଳେ ଆଉ ଗୋଟିଏ ଫିଲ୍ମ ପାଇଁ ପ୍ୟାଂଟ ପିନ୍ଧି ବାହାରନ୍ତି ।

– ପିତାଙ୍କ ସ୍ମୃତିରେ ୧୯୭୮ରେ ମୁମ୍ବାଇ ଠାରେ ପୃଥ୍ୱୀ ଥିଏଟର ପ୍ରତିଷ୍ଠା କରିଥିଲେ ।

– ଇଂରାଜୀ ଫିଲ୍ମରେ କ୍ରମାଗତ ଭାବେ କରିବାରେ ସେ ଏକମାତ୍ର ଅଭିନେତା ।

– ଶଶି ସବୁଠାରୁ ଅଧିକ ୧୨ଟି ଫିଲ୍ମ ଶର୍ମିଲା ଟାଗୋରଙ୍କ ସହ ଏବଂ ୬ଟି ଜିନତ ଅମନଙ୍କ ସହ କରିଛନ୍ତି । ସେ ଥିଲେ ନିଜ ସମୟର ସବୁଠାରୁ ଅଧିକ ଫିସ ନେଉଥିବା କଳାକାର ।