ସେୟାର୍ ବଜାରରେ ସୁନାମୀ ! ଭଲ ମୌସୁମୀ ବର୍ଷାର ପୂର୍ବାନୁମାନ ପରେ ଷ୍ଟକ୍ ଏକ୍ସଚେଂଜରେ ଉତ୍ସାହ

41

କନକ ବ୍ୟୁରୋ : ଭାରତୀୟ ସେୟାର ବଜାରରେ ସୁନାମି । ଗ୍ଲୋବାଲ ସେୟାର ମାର୍କେଟରେ ଦେଖା ଦେଉଥିବା ମଜଭୁତ୍ ସ୍ଥିତିର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି । ଆଜି ମୁମ୍ବାଇ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ- ସେନସେକ୍ସ ୩୦ ହଜାର ୫୮୩ ପଏଂଟରେ ବନ୍ଦ ହୋଇଛି । ଆରପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ- ନିଫ୍ଟି ରେକର୍ଡ ୯ ହଜାର ୫୦୦ ପଏଂଟରେ ବନ୍ଦ ହୋଇଛି । ଲଗାତର ଦ୍ୱିତୀୟ ଦିନ ପାଇଁ ସେୟାର ବଜାରରେ ଏପରି ଉତ୍ସାହ ନଜରକୁ ଆସିଛି ।

ଚଳିତ ସପ୍ତାହ ଆରମ୍ଭରେ ଭଲ ମୌସୁମୀ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ, ସୂଚନା ଦେବା ପରେ ଏହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଆଜି ସକାଳେ କାରବାର ଆରମ୍ଭ ହେବାମାତ୍ରେ ପ୍ରଥମ ଘଂଟାକ ମଧ୍ୟରେ ସେନସେକ୍ସ ୧୨୨ ପଏଂଟ ବୃଦ୍ଧି ପାଇ ୩୦ ହଜାର ୫୧୩ ସ୍ତରକୁ ଛୁଇଁଥିଲା । ସୋମବାର ଦିନ ସେନସେକ୍ସ ୩୦ ହଜାର ୩୨୨ ପଏଂଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୯ ହଜାର ୪୪୫ ପଏଂଟରେ ବନ୍ଦ ହୋଇଥିଲା । ଏହା ଭାରତର ଦୃଢ ଅର୍ଥନୀତିର ସଂକେତ ଦେଉଛି ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।