ବିଜନେସ କ୍ଲାସ ଫ୍ଲାଇଟରୁ ଲୋକାଲ ଟ୍ରେନ ! ଭାରତୀୟ ଷ୍ଟାର କ୍ରିକେଟର ସାର୍ଦ୍ଦୁଳଙ୍କ ସାଧାରଣ ଲାଇଫ ଷ୍ଟାଇଲ, ଚିହ୍ନି ପାରିଲେନି ସହଯାତ୍ରୀ । ସୋସିଆଲ ମିଡିଆରେ ଫଟୋ ଭାଇରାଲ

81

ଲୋକାଲ ଟ୍ରେନରେ ଭାରତୀୟ ଦଳର ଷ୍ଟାର କ୍ରିକେଟର । ବିଜନେସ୍ କ୍ଲାସ ଫ୍ଲାଇଟରୁ ସିଧା ମୁମ୍ବାଇର ଲୋକାଲ ଟ୍ରେନ । ଦକ୍ଷିଣ ଆଫ୍ରିକାରୁ ବିଜନେସ କ୍ଲାସ ଫ୍ଲାଇଟରେ ଆସିିବା ପରେ ଅଧିକାଂଶ ଭାରତୀୟ ଖେଳାଳି ନିଜର ଦାମୀ ଗାଡିରେ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ । କିନ୍ତୁ ଏସବୁ ଭିତରେ ଭାରତୀୟ ଦଳର ଯୁବ ପ୍ରତିଭାବାନ ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର ମୁହାଁଇଥିଲେ ଅନେ୍ଧରି ରେଳ ଷ୍ଟେସନ ଆଡକୁ । ନା ଥିଲା ଦାମୀ ଗାଡି ନା ତାଙ୍କୁ କେହି ଚିହ୍ନି ପାରୁଥିଲେ । ଟ୍ୟାକ୍ସି ଧରି ଅନେ୍ଧରି ଷ୍ଟେସନରେ ପହଞ୍ଚିବା ପରେ ଘରକୁ ଯିବା ପାଇଁ ଲୋକାଲ ଟ୍ରେନରେ ଚଢିଥିଲେ । ଲୋକଙ୍କ ଖଚାଖଚ ଭିଡ ଭିତରେ ନିଜ ଘର ଅଭିମୁଖେ ବାହାରିଥିଲେ ସାର୍ଦ୍ଦୁଳ । ଏତେ ଭିଡ ଥିଲେ ମଧ୍ୟ ଟ୍ରେନ ଭିତରେ ଥିବା କୌଣସି ବ୍ୟକ୍ତି ସାର୍ଦ୍ଦୁଳଙ୍କୁ ଚିହ୍ନି ପାରିନଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଟିକେଟ କିଣିବା ଠାରୁ ଆରମ୍ଭ କରି ଲୋକାଲ ଟ୍ରେନରେ ଯାତ୍ରା କରୁଥିବାର ଅଧିକାଂଶ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଭାଗ୍ୟ ବଦଳିଯାଏ ବୋଲି ଅଧିକାଂଶ ଲୋକ ମନେ କରନ୍ତି । କିନ୍ତୁ ସାର୍ଦ୍ଦୁଲଙ୍କୁ ଦେଖିଲେ ଏଭଳି ଆଶଙ୍କା ଆପଣଙ୍କର ଦୂର ହୋଇଯିବ । ଲୋକାଲ ଟ୍ରେନରେ ଯାତ୍ରା କରିବା ବେଳେ ଟ୍ରେନରେ ଥିବା ଅଧିକାଂଶ ଯାତ୍ରୀ ତାଙ୍କୁ ଚିହ୍ନି ପାରିନଥିଲେ । ଏପରିକି କିଛି ବ୍ୟକ୍ତି ଇଣ୍ଟରନେଟରେ ସର୍ଚ୍ଚ କରିବା ପରେ ସାର୍ଦ୍ଦୁଲଙ୍କୁ ଚିହ୍ନିଥିଲେ ।ପରେ ସେଲଫି ମଧ୍ୟ ନେଇଥିଲେ । ସାର୍ଦ୍ଦୁଲଙ୍କ କହିବା ଅନୁଯାୟୀ ଭାରତୀୟ ଟିମରେ ସ୍ଥାନ ପାଇବା ପୂର୍ବରୁ ମଧ୍ୟ ସେ ଲୋକାଲ ଟ୍ରେନରେ ଯାତ୍ରା କରୁଥିଲେ । କିନ୍ତୁ ଏବେ ଭାରତୀୟ ଟିମରେ ସ୍ଥାନ ପାଇବା ପରେ ଲୋକାଲ ଟ୍ରେନରେ ଯାତ୍ରା କରିବା ଦ୍ୱାରା ସାଙ୍ଗରେ ଯାଉଥିବା ଯାତ୍ରୀ ମଧ୍ୟ ଆଶ୍ଚଯ୍ୟ ହେଉଛନ୍ତି । ଷ୍ଟାର ହୋଇ ସୁଦ୍ଧା ସାର୍ଦ୍ଦୁଲ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ସୋସିଆଲ ମିଡିଆରେ ବେଶ ପ୍ରଂଶସା କରାଯାଉଛି ।

୨୦୧୮ ଆଇପିଏଲ ପାଇଁ ସାର୍ଦ୍ଦୁଳଙ୍କୁ ୨.୬ କୋଟି ଟଙ୍କାରେ ଚେନ୍ନାଇ ସୁପରକିଙ୍ଗସ କିଣିଛି । ଏପରିକି ୬ ମାର୍ଚ୍ଚରୁ ଶ୍ରୀଲଙ୍କାରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇଛି । କିନ୍ତୁ ଏହାର କାଣିଚାଏ ପ୍ରଭାବ ମଧ୍ୟ ତାଙ୍କ ଜୀବନଶୈଳୀ ଉପରେ ପଡିନାହିଁ । ପୂର୍ବଭଳି ଲୋକାଲ ଟ୍ରେନରେ ଯାତ୍ରା କରୁଛନ୍ତି ଏହି ଷ୍ଟାର କ୍ରିକେଟର । ଗୋଟିଏ ପଟେ ଭାରତୀୟ ଟିମରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଷ୍ଟାରଭଳି ଲାଇଫ ବିତାଉଥିବା ବେଳେ ସାର୍ଦ୍ଦୁଳଙ୍କ ଏଭଳି ସରଳ ଜୀବନଯାପନ ଅନେକ ଲୋକଙ୍କୁ ପ୍ରଭାବିତ କରିଛି । ଏନେଇ ସାର୍ଦ୍ଦୁଲ କହିଛନ୍ତି, ତାଙ୍କୁ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଏବେ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ । ଯାହାଦ୍ୱାରା ଲୋକ ତାଙ୍କୁ ଚିହ୍ନି ପାରିବେ ।

ପୂର୍ବରୁ ଆର୍ନ୍ତଜାତୀୟ ପର୍ଦାପଣ ମ୍ୟାଚରେ ସାର୍ଦ୍ଦୁଳଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଇଥିଲା । ଡେବ୍ୟୁ ମ୍ୟାଚରେ ସାର୍ଦ୍ଦୁଳ ସଚିନଙ୍କ ଜର୍ସି ନମ୍ବର ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଯାହାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା । ସେତେବେଳେ ସୋସିଆଲ ମିଡିଆରେ ସାର୍ଦ୍ଦୁଳଙ୍କୁ ନେଇ ଯେଉଁଭଳି ଭାବେ ଆଲୋଚନା ହେଉଥିଲା ଏବେ ତାଙ୍କ ସରଳପଣିଆ ଦେଖିବା ପରେ ସୋସିଆଲ ମିଡିଆରେ ପ୍ରଂଶସା କରାଯାଉଛି ।