ଶରତ ଯାଦବଙ୍କ ବିବାଦୀୟ ବୟାନ ! କହିଲେ ଝିଅର ଇଜ୍ଜତଠାରୁ ଭୋଟର ମୂଲ୍ୟ ଅଧିକ

27

କନକ ବ୍ୟୁରୋ: ପୁଣି ଥରେ ନାରୀଙ୍କୁ ଅସମ୍ମାନ କଲେ ଦେଶର ଜଣେ ବରିଷ୍ଠ ନେତା । ତାଙ୍କର ବିବାଦୀୟ ବୟାନ ପୁଣି ଥରେ ପଦାରେ ପକାଇ ଦେଇଛି ଆମ ନେତାଙ୍କ ହୀନ ମାନସିକତାକୁ । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜେଡିୟୁ ନେତା ଶରଦ ଯାଦବ କହିଛନ୍ତି ‘ଝିଅ’ର ଇଜ୍ଜତ ଠାରୁ ‘ଭୋଟ’ର ଇଜ୍ଜତ ଅଧିକ । ଶରଦ ଯାଦବ କହିଛନ୍ତି ଯେ ଗୋଟିଏ ‘ଭୋଟ’ର  ମୂଲ୍ୟ କେତେ, ତାହାକୁ ଲୋକଙ୍କୁ ବୁଝାଇବା ଦରକାର । ଯାଦବଙ୍କ ମତରେ ଗୋଟିଏ ‘ଭୋଟ’ର ମୂଲ୍ୟ, ନିଜ ‘ଝିଅ’ର ସମ୍ମାନ ଠାରୁ ବଡ । ଏହାକୁ ବୁଝାଇବାକୁ ଯାଇ ଏହି ନେତା ଆହୁରି ତଳକୁ ଖସି ଯାଇଛନ୍ତି ।

ସେ କହିଛନ୍ତି ଜଣେ ଝିଅର ଇଜ୍ଜତ ଗଲେ ଗୋଟେ ସାହିର କିମ୍ବା ଗାଁର ଇଜ୍ଜତ ଯିବ । କିନ୍ତୁ ଭୋଟ ବିକ୍ରିହେଲେ ସାରା ଦେଶର ଇଜ୍ଜତ ଯିବ । ଶରଦ ଯାଦବଙ୍କ ଏଭଳି କମେଂଟକୁ ଦେଶ ବ୍ୟାପି ନିନ୍ଦା କରାଯାଉଛି । ଜେଡି ୟୁର ଏହି ନେତା ପ୍ରଥମ ଥର ମହିଳାଙ୍କୁ ଅସମ୍ମାନ କରି ଏଭଳି ବୟାନ ଦେଇନାହାନ୍ତି, ସଂସଦ ଭଳି ପବିତ୍ର ଗୃହରେ ମଧ୍ୟ ସେ ପୂର୍ବରୁ ଦକ୍ଷିଣ ଭାରତୀୟ ମହିଳାଙ୍କ ରଙ୍ଗ ଓ ସୌନ୍ଦର୍ଯ୍ୟକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ।