ଦଲାଇଲାମା ଓ ପୋପଙ୍କ ଠାରୁ ଆମ ପଦ ଉଚ୍ଚ ! ଭୋଟବ୍ୟାଙ୍କ ପାଇଁ ନକଲି ଶଙ୍କରାଚାର୍ଯ୍ୟ ସୃଷ୍ଟି କରୁଛନ୍ତି ରାଜନେତା

33

କନକ ବ୍ୟୁରୋ : ଆମର ଗାଦି ୨୫୦୦ ବର୍ଷ ପୂର୍ବର। ଦଲାଇଲାମା ହୁଅନ୍ତୁ କି ପୋପ୍, ଏମାନଙ୍କ ଠାରୁ ଆମ ପଦ ଉଚ୍ଚ। ବୃନ୍ଦାବନର ହରିହର ଆଶ୍ରମରେ ଜ୍ୟୋର୍ତିମଠ ବିବାଦକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ଅବସରରେ ପୁରୀ ଗୋବର୍ଦ୍ଧନ ପିଠାଧୀଶ ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହା କହିଛନ୍ତି।

shankaracharya_newଶଙ୍କରାଚାର୍ଯ୍ୟ କହିଛନ୍ତି, ଭୋଟବ୍ୟାଙ୍କ ହାତେଇବା ପାଇଁ ହିନ୍ଦୁ ଧର୍ମରେ ନକଲି ଶଙ୍କରାଚାର୍ଯ୍ୟଙ୍କୁ ରାଜନେତା ତିଆରି କରୁଛନ୍ତି। ଏବେ ଭାରତରେ ବାବା ଟ୍ରେଣ୍ଡ ଚାଲିଛି । ଭାରତରେ ୪ଟି ପୀଠ ଥିବା ବେଳେ ୪୦ ଜଣ ନକଲି ଶଙ୍କରାଚାର୍ଯ୍ୟ ବୁଲୁଛନ୍ତି। କାରଣ ଶଙ୍କରାଚାର୍ଯ୍ୟ ଯଦି ନିଜର ଅସ୍ତିତ୍ଵ ଓ ଆଦର୍ଶକୁ ରକ୍ଷା କରିବା ପାଇଁ ସମର୍ଥ ହୋଇଗଲେ ବା ସନାତନ ପରମ୍ପରା ନିର୍ବାହ କରିବାକୁ ସମର୍ଥ ହେଲେ ତେବେ ସରକାରଙ୍କର ଦ୍ୱାରା ଡାଲି ଶିଝିବନି। ତେଣୁ ସରକାର ଜାଣି ଜାଣି ଏଭଳି କରୁଛନ୍ତି।

ସରକାର ଏଭଳି ବାବା ସୃଷ୍ଟି କରି ଅରାଜକ ତତ୍ତ୍ୱରେ ନିଜର ସହଭାଗିତାର ପରିଚୟ ଦେଉଛନ୍ତି। ପ୍ରତ୍ୟେକ ନକଲି ବାବାଙ୍କ ଅସ୍ତିତ୍ୱ ପଛରେ ରାଜନେତାଙ୍କ ପ୍ରଚ୍ଛନ୍ନ ହାତ ରହୁଛି । ଏପରି କରିବା ଦ୍ୱାରା ନକଲି ବାବାଙ୍କ କଳାକାରନାମୁ ମଧ୍ୟ ଲୁଚାଇବାକୁ ପଛାଉନାହାନ୍ତି ରାଜନେତା ମାନେ । ଯଦି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନକଲି ନୁହଁନ୍ତି । ତେବେ ନକଲି ଶଙ୍କରାଚାର୍ଯ୍ୟ ଶବ୍ଦର ବ୍ୟବହାର କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶରେ ଶାସନତନ୍ତ୍ର ବିଗିଡ଼ି ଯାଇଛି। ଉଚିତ୍ ଶାସନ ତନ୍ତ୍ର ଥିଲେ ପ୍ରଥମେ ଏହି ଅରାଜକ ତତ୍ତ୍ୱଙ୍କୁ ଦଣ୍ଡ ମିଳନ୍ତା । ଦଣ୍ଡ ମିଳୁନଥିବାରୁ ଏହି ଅରାଜକ ତତ୍ତ୍ୱମାନେ ବ୍ୟାପାର ତନ୍ତ୍ର, ପ୍ରଚାର ତନ୍ତ୍ର ଓ ଶାସନତନ୍ତ୍ରରୁ ସମ୍ବଳ ପାଇ ନିଜକୁ ଶଙ୍କରାଚାର୍ଯ୍ୟ କହୁଛନ୍ତି।