ଗୁଜରାଟ କଂଗ୍ରେସରେ ସଙ୍କଟ: ଦଳ ଛାଡ଼ିଲେ ଶଙ୍କର ସିଂହ ବାଘେଲା

1

କନକ ବ୍ୟୁରୋ : ଗୁଜରାଟ କଂଗ୍ରେସରେ ଲାଗିରହିଥିବା ଅସନ୍ତୋଷ ପଦାରେ ପଡ଼ିଛି । ସୋମବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସରେ କ୍ରସ୍ ଭୋଟିଂ ନେଇ ଅଭିଯୋଗ ହେବା ପରେ ଦଳର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲା ଗତକାଲି ଦଳ ସହ ସମସ୍ତ ପଦପଦବୀ ଛାଡ଼ିଛନ୍ତି । ନିଜର ୭୭ତମ ଜନ୍ମଦିନ ପାଳନ ଅବସରରେ ଗାନ୍ଧିନଗର ଠାରେ ଅନୁଷ୍ଠିତ ସମର୍ଥକ ସଭାରେ ତାଙ୍କୁ ଦଳ ୨୪ଘଣ୍ଟା ପୂର୍ବରୁ ତାଙ୍କୁ ବହିଷ୍କାର କରିଥିବା ସେ ସୂଚନା ଦେଇ ଏହା କହିଛନ୍ତି । ନିଜ ଜନ୍ମଦିନ ସଭାରେ ସେ ଦଳ ବିରୋଧରେ କ’ଣ ଆଭିମୂଖ୍ୟ ରଖିବେ, ତାକୁ ନେଇ ଦଳ ବିଚଳିତ ହୋଇ ତାଙ୍କୁ ବହିଷ୍କାର କରିଥିବା ସେ କହିଛନ୍ତି । ବର୍ତ୍ତମାନ ସେ ରାଜନୀତିର ମୁକ୍ତ ପକ୍ଷୀ ବୋଲି କହିଛନ୍ତି । ତେବେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ଗ୍ରହଣ କରୁନଥିବା ନେଇ ସ୍ପଷ୍ଟ କରିଛନ୍ତି । ଏହାସହ ବିଜେପିରେ ମଧ୍ୟ ଯୋଗଦାନ କରୁନଥିବା କହିଛନ୍ତି ।

ରାଜନୀତିରେ ଯେଉଁମାନେ ସତ୍ୟନିଷ୍ଠ ଓ ଜନତାଙ୍କ ସେବା ପାଇଁ ଉତ୍ସର୍ଗୀକୃତ ସେମାନେ ଦଳ ସହ ବୁଝାମଣା କରିବା ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ଯେଉଁମାନେ ଦଳରେ ବାରମ୍ବାର ଅଭିଯୋଗ କରିବାରେ ବ୍ୟସ୍ତ ସେମାନେ ସଠିକ ନିଷ୍ପତ୍ତି ଗ୍ରହଣ କରିଥିଲେ ବିଜେପି କ୍ଷମତା ଠାରୁ ଦୂରରେ ଥାନ୍ତା ବୋଲି ସେ କହିଛନ୍ତି। କଂଗ୍ରେସର ଦଳୀୟ କନ୍ଦଳ ଓ ସଂକୀର୍ଣ୍ଣ ମାନସିକତା ଆଜି ବିଜେପିକୁ କ୍ଷମତାସୀନ କରାଇପାରିଛି ବୋଲି ବାଘେଲା କହିଛନ୍ତି । ଏହାସହ ବିଜେପି ଉପରେ ମଧ୍ୟ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ନିଜର ରକ୍ତ ଖଟାଇ ଗଠନ କରିଥିବା ଦଳ ତାଙ୍କ ପ୍ରତି ବିଶ୍ୱାସଘାତ କରିବା ତାଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଛି । ଉଭୟ କଂଗ୍ରେସ ଓ ବିଜେପିରେ ସେ ଦଳର ଆଭ୍ୟନ୍ତରୀଣ କନ୍ଦଳର ଶିକାର ହୋଇଥିବା କହିଛନ୍ତି ।

ଏହାପରେ ସେ ନିଜର ଦଳ ଗଠନ କରିବେ ବୋଲି ମଧ୍ୟ ଆଶା କରାଯାଇଛି । ବାଘେଲାଙ୍କ ଜନ୍ମଦିନ ସଭାରୁ ଦୂରେଇ ରହିବା ପାଇଁ ୫୬ଜଣ କଂଗ୍ରେସ ବିଧାୟକଙ୍କୁ ଦଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଦଳପାଖରେ ନିଜ ସଦସ୍ୟଙ୍କୁ ଉପଦେଶ ଦେବା ପାଇଁ ସଂପୂର୍ଣ୍ଣ କ୍ଷମତା ରହିଥିବା ସେ କହିଛନ୍ତି। କିନ୍ତୁ ସଦସ୍ୟମାନେ ଦଳର ଗୋତିଶ୍ରମିକ ନୁହନ୍ତି ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟ କଂଗ୍ରେସର ୧୧ଜଣ ବିଧାୟକ ଏନ୍ଡିଏ ସମର୍ଥିତ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଭୋଟ ଦାନ କରିଥିବା ଜଣାପଡ଼ିଥିଲା । ଏମାନେ ବାଘେଲାଙ୍କ ଗୋଷ୍ଠୀର ବୋଲି କୁହାଯାଇଛି । ରାଜ୍ୟ କଂଗ୍ରେସ ମୁଖ୍ୟ ଭରତ ସିଂହ ସୋଲାଙ୍କିଙ୍କ ସହ ମତଭେଦ ପରେ ସେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିବା ପୂର୍ବରୁ ଗତକାଲି ଦିଲ୍ଲୀରେ ଦଳର ନେତାମାନଙ୍କୁ ସାକ୍ଷାତ କରିଥିଲେ। ଦଳର ବରିଷ୍ଠ ନେତା ଅହମଦ ପଟେଲଙ୍କ ସହ ଆଲୋଚନା ପରେ କୌଣସି ଫଳାଫଳ ବାହାରିବାର ଆଶା କରାଯାଇଥିବା ବେଳେ ଏହା ବିଫଳ ହୋଇଥିଲା ।

Comments are closed.