ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ୨୩୦୦ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇଥିଲେ ଆଶାରାମ ବାପୁ !

77

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାବା ଆଶାରାମ୍ ବାପୁଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏବେ ଆଶାରାମ୍ ବାକି ଜୀବନ ଜେଲର ଅନ୍ଧାର କୋଠରୀରେ କାଟିବେ । ଏବେ ଜାଣନ୍ତୁ ଏହି ବାବା କେତେ ପର୍ଯ୍ୟନ୍ତ ପଢିଥିଲେ ଯେ ୨୩୦୦ କୋଟି ଟଙ୍କାର ମାଲିକ ହୋଇ ବସିଥିଲେ । ୧୯୪୧ ଏପ୍ରିଲ୍ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆଶାରାମଙ୍କ ପୁରାନାମ ଅଶୁମଲ୍ ଥାଉମଲ୍ ହରପଲାନୀ ଥିଲା । ଆଶାରାମ୍ ନିଜ ଜୀବନୀରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା କଥା କହିଥିବା ବେଳେ ଆଧ୍ୟାତ୍ମିକ କ୍ଷେତ୍ରକୁ ଆସିବା ପୂର୍ବରୁ ଘୋଡା ଗାଡି ଚଲାଇ ଏବଂ ବେଳେବେଳେ ଚା ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା କଥା ତାଙ୍କ ବାୟୋଗ୍ରାଫିରେ ଲେଖାହୋଇଛି ।
ଆଶାରାମଙ୍କ ପରିବାର ପାକିସ୍ଥାନର ଜାମନୱାଜ୍ ଅଲ୍ଲୀଠାରେ ରହି ଆସୁଥିବା ଜଣାପଡୁଥିବା ବେଳେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ଅହମ୍ମଦାବାଦ ଆସି ରହିଥିଲେ । ଆଶାରାମଙ୍କ ପିତା କାଠ ଏବଂ କୋଇଲା ବ୍ୟବସାୟୀ ଥିଲେ । ପିତାଙ୍କ ଦେହାନ୍ତ ପରେ ୧୫ ବର୍ଷ ବୟସରେ ଆଶାରାମ ଘର ଛାଡି ଭରୁଚ୍ ନାମକ ଏକ ଆଶ୍ରମକୁ ଚାଲି ଆସିଥିଲେ । ସେଠାରେ ଗୁରୁ ଲୀଲାଶାହଙ୍କଠାରୁ ଦୀକ୍ଷା ନେବାବେଳେ ଗୁରୁ ତାଙ୍କ ନୂଆ ନାଁ ଆଶାରାମ ବାପୁ ଦେଇଥିଲେ । ୧୯୭୨ ମସିହାରେ ନିଜର ଆଧ୍ୟାତ୍ମିକ ସାମ୍ରାଜ୍ୟ ଠିଆ କରିବା ପାଇଁ ଅହମ୍ମଦାବାଦଠାରୁ ୧୦ କି.ମି. ଦୂର ମୁଟେରା କସୱେଠାରେ ଏକ ଝୁପୁଡି ଆରମ୍ଭ କରିଥିଲେ । ଛୋଟ ଝୁପୁଡିରେ ଏତେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଲା ଯେ ଦେଖୁ ଦେଖୁ ଏହା ଏକ କୋଠା ରୁପରେ ପରିଣତ ହେଲା । ୨୦୧୬ ମସିହାରେ ଆୟକର ବିଭାଗ ଆଶାରାମଙ୍କଠାରୁ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲେ । ରିପୋର୍ଟ ମୁତାବକ, ସେହି ସମୟରେ ଆଶାରାମଙ୍କ ରାଜ୍ୟସାରା ଆଶ୍ରମ ସଂଖ୍ୟା ପ୍ରାୟ ୪୦୦ ଥିଲା । ଭକ୍ତଙ୍କ ମନମୋହିବା ପାଇଁ ଆଶାରାମ ପ୍ରବଚନ ପରେ ଭକ୍ତଙ୍କୁ ମାଗଣା ପ୍ରସାଦ ଖାଇବାକୁ ଦେଉଥିଲେ । ଭକ୍ତମାନଙ୍କ ସଂଖ୍ୟା ବଢାଇବାରେ ଏହି ଉପାୟ ସଫଳସାଧ୍ୟ ହୋଇଥିଲା ।