ଉତ୍ତରପ୍ରଦେଶରେ ପୁଣି ଏକ ଟ୍ରେନ ଦୁର୍ଘଟଣା ! ଲାଇନଚ୍ୟୁତ ହେଲା ୭ ବଗି

31

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ପୁଣି ଟ୍ରେନ ଦୁର୍ଘଟଣା । କଳିଙ୍ଗ-ଉକ୍ରଳ ଟ୍ରେନ ଦୁର୍ଘଟଣାର ଦିନ କେଇଟା ବିତିନି ପୁଣି ଆଜି ସୋନଭଦ୍ରରେ ଶକ୍ତିପୁଂଜ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରେନର ୭ଟି ବଗି ଲାଇନଚ୍ୟୁତ ହୋଇଛି । ହାୱଡାରୁ ଜବଲପୁର ଯାଉଥିବା ଶକ୍ତିପୁଂଜ ଏକ୍ସପ୍ରେସ ସୋନଭଦ୍ରର ଓବରା ଥାନା ଅଧିନ ଫଫରାକୁଣ୍ଡ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ରେଳମନ୍ତ୍ରୀ ଭାବେ ପିୟୁଷ ଗୋୟଲ ପଦଭାର ସମ୍ଭାଳିବା ପରେ ଏହା ପ୍ରଥମ ରେଳ ଦୁର୍ଘଟଣା । ଗତ କିଛି ଦିନରେ ବାରମ୍ବାର ଟ୍ରେନ ଦୁର୍ଘଟଣା ଯୋଗୁଁ ସୁରେଶ ପ୍ରଭୁ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ । କିଛିଦିନ ପୂର୍ବେ ଉତ୍ତରପ୍ରଦେଶର ମୁଜାଫରନଗର ଠାରେ ମଧ୍ୟ ମର୍ମନ୍ତୁଦ ରେଳ ଦୁର୍ଘଟଣା ହୋଇଥିଲା ।

ପୁରୀରୁ ହରିଦ୍ୱାର ଅଭିମୁଖେ ଯାଉଥିବା କଳିଙ୍ଗ- ଉକ୍ରଳ ଏକ୍ସପ୍ରେସ ମୁଜାଫରନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ଟ୍ରେନ ଦୁର୍ଘଟଣାରେ ୨୩ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ରେଳ ବିଭାଗର ଭୁଲ ପାଇଁ ଏତେବଡ ଟ୍ରେନ ଦୁର୍ଘଟଣା ହୋଇଥିବାର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ସରକାର ଭାରତରେ ବୁଲେଟ ଟ୍ରେନ ଚଳାଇବାକୁ ଚିନ୍ତା କରୁଥିବା ବେଳେ ଲଗାତାର ଏଭଳି ଟ୍ରେନ ଦୁର୍ଘଟଣା ସରକାରଙ୍କୁ ଅଡୁଆରେ ପକାଉଛି । ତେବେ ପୁଣିଥରେ ଉତ୍ତରପ୍ରଦେଶରେ ଆଉ ଏକ ଟ୍ରେନ ଦୁର୍ଘଟଣା ରେଳଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଛି ।