ବିରାଟ ବାହିନୀକୁ ବାଂଲାଦେଶ ଖେଳାଳି ସାକିବଙ୍କ ଚେତାବନୀ । ବିଶ୍ୱକପରେ ଭାରତ ଶକ୍ତିଶାଳୀ ଟିମ୍, କିନ୍ତୁ ଆମେ ଟିମ୍ ଇଣ୍ଡିଆକୁ ହରାଇପାରିବୁ ।

791

ଚଳିତ ବିଶ୍ୱକପରେ ଡାର୍କ ହର୍ସ ଭାବେ ଉଭା ହୋଇଛି ବାଂଲାଦେଶ । ବଡ ବଡ ଟିମକୁ ନାକରେ ପାଣି ପିଆଉଥିବା ବାଂଲାଦେଶ ଏହା ଭିତରେ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛି । ଜବରଦସ୍ତ ଫର୍ମରେ ଥିବା ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍ ହାସନ ବିରାଟ ବାହିନୀକୁ ବିଶ୍ୱକପରେ ପରାସ୍ତ କରିବ ବୋଲି ଦମ୍ଭ ଦେଖାଇଛନ୍ତି । ସାକିବ କହିଛନ୍ତି, ଭାରତ ଚଳିତ ବିଶ୍ୱକପରେ ଶ୍ରେଷ୍ଠ ଦଳ ମଧ୍ୟରୁ ଅନ୍ୟତମ । ଏପରିକି ବିଶ୍ୱକପ ଟାଇଟଲ ରେସରେ ମଧ୍ୟ ଭାରତ ଆଗରେ ରହିଛି । ଜବରଦସ୍ତ ଫର୍ମରେ ଥିବା ଟିମ୍ ଇଣ୍ଡିଆକୁ ହରାଇବା ମଧ୍ୟ ସହଜ ନୁହେଁ । କିନ୍ତୁ ଭାରତ ବିପକ୍ଷରେ ଆମେ ଆମର ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ସାକିବ ।

ସାକିବ କହିଛନ୍ତି, ଭାରତକୁ ହରାଇବା ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେବ । ଭାରତ ପାଖରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି ଯେଉଁମାନେ ଏକାକୀ ମ୍ୟାଚ୍ ଜିତାଇବାକୁ ସକ୍ଷମ । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ଆମେ ଟିମ୍ ଇଣ୍ଡିଆକୁ ହରାଇପାରିବୁ । ଭାରତ ବିପକ୍ଷରେ ସ୍ୱତନ୍ତ୍ର ରଣନୀତି କରି ବାଂଲାଦେଶ ଟିମ୍ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ସାକିବ ।

ଏହାପୂର୍ବରୁ ୨୦୦୭ ବିଶ୍ୱକପରେ  ଲିଗ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆକୁ ମାତ୍ ଦେଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା ବାଂଲାଦେଶ । ଏହି ପରାଜୟ ସହ ଲିଗ୍ ପର୍ଯ୍ୟାୟରୁ ଆଉଟ୍ ହୋଇଥିଲା ଭାରତ । ତେଣୁ ଏହାର ପୁନରାବୃତ୍ତି ପୁଣିଥରେ ୨୦୧୯ ବିଶ୍ୱକପରେ କରିବାକୁ ଲକ୍ଷ୍ୟ ରଖିଛି ବାଂଲାଦେଶ ।