ଆଜି ଲୋକାର୍ପିତ ହେବ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ! ୧୦୦ ସିଟ୍ ବିଶିଷ୍ଟ କଲେଜର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

121

କନକ ବ୍ୟୁରୋ : ୫୦ ବର୍ଷ ପରେ ରାଜ୍ୟରେ ଆଉ ଏକ ସରକାରୀ ମେଡିକାଲ କଲେଜ ଲୋକାର୍ପିତ ହେବ । ଆଜି କୋରାପୁଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ଲକ୍ଷଣ ନାୟକ ମେଡିକାଲ କଲେଜକୁ ଲୋକାର୍ପିତ କରିବେ । ଏ ବର୍ଷରୁ ଏହି ମେଡିକାଲରେ ପାଠପଢା ପାଇଁ ଶହେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏହି ମେଡିକାଲ କଲେଜ ଆରମ୍ଭ ହେଲେ କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଆଖାପାଖ ଅଂଚଳରେ ଲୋକଙ୍କୁ ଉନ୍ନତି ମାନର ଚିକିତ୍ସା ସେବା ମିଳିପାରିବ । ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ପରେ ଆଜିଠାରୁ ହିଁ ମେଡିକାଲ କଲେଜରେ ପାଠପଢା ଆରମ୍ଭ ହେବ । ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀ ନାମଲେଖାଇ ହଷ୍ଟେଲରେ ଅଛନ୍ତି ।

କୋରାପୁଟ ମେଡିକାଲ କଲେଜ ନିର୍ମାଣ ପାଇଁ ସରକାର ୧୯୨. ୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୫ରେ ଏହି କଲେଜର ନିର୍ମାଣ କାମ ଆରମ୍ଭ ହୋଇ ଦୁଇବର୍ଷ ଲାଗିଥିଲା । ଅତ୍ୟାଧୁନିକ ଯନ୍ତ୍ରପାତି ପାଇଁ ମଧ୍ୟ ଚଳିତବର୍ଷ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏବେ ସୁଦ୍ଧା ମେଡିକାଲ କଲେଜରେ ୨୨ଜଣ ପ୍ରଫେସର ଓ ୨୮ ଜଣେ ସହେଯାଗୀ ପ୍ରଫେସର ନିଯୁକ୍ତି ପାଇଛନ୍ତି । ତେଣୁ ପାଠପଢାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଉଛି ।