ହକି ବିଶ୍ୱକପ ପାଇଁ ଚଳଚଂଚଳ ଭୁବନେଶ୍ୱର: ହକି ଥିମ ସଙ୍ଗ ଟିଜର ରିଲିଜ ପରେ ନବୀନଙ୍କୁ ଟୁଇଟ କରି କୃତଜ୍ଞତା ଜଣାଇଲେ ଶାହାରୁଖ

କହିଲେ, ଓଡିଶା ଆସିବା ପାଇଁ ବ୍ୟଗ୍ର

147

କନକ ବ୍ୟୁରୋ: ହକି ବିଶ୍ୱକପ ପାଇଁ ଚଳଚଂଚଳ ହୋଇଛି ଭୁବନେଶ୍ୱର । ଏଥିପାଇଁ ରିଲିଜ ହୋଇଛି ଥିମ ସଙ୍ଗ ଟିଜର । ଟିଜରରେ ନଜର ଆସିଛନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନଙ୍କ ସହ ବଲିଉଡର ବାଦଶାହ ଶାହାରୁଖ ଖାନ । ଟିଜର ରିଲିଜ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶାହାରୁଖ୍ ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶାହାରୁଖଙ୍କୁ ଧନ୍ୟବାଦ ଦେବା ପରେ ଶାହାରୁଖ ରିଟ୍ୱିଟ କରି ଏଭଳି ଲେଖିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଯେ, ହକି ପାଇଁ ଏହା ହେଉଛି ଆମ ସମସ୍ତଙ୍କ କର୍ତବ୍ୟ । ଓଡିଶା ଆସିବା ପାଇଁ ସେ ବ୍ୟଗ୍ର ଅଛନ୍ତି ବୋଲି ଟ୍ୱିଟ କରିଛନ୍ତି ଶାହାରୁଖ ଖାନ୍ । ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରେ ହକି ମହାକୁମ୍ଭ ଆରମ୍ଭ ହେବ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ହେବେ ଏ.ଆର.ରେହମାନ ଓ ଶାହାରୁଖ ଖାନ୍ ।

ଉଲ୍ଲେଖ ଥାଉ କି, ଜୟ ହିନ୍ଦ ଜୟ ଇଣ୍ଡିଆ ଶୀର୍ଷକ ଥିବା ରିଲିଜ ହୋଇଥିବା ହକି ବିଶ୍ୱକପର ଥିମ୍ ସଙ୍ଗର ଟିଜରରେ ନିଜ ସ୍ୱରର ଜଲୱା ଦେଖାଇଛନ୍ତି ଓସ୍କାର ବିଜେତା ଏ.ଆର ରେହମାନ । ୪୬ ସେକେଣ୍ଡର ଏହି ଭିଡିଓ ସଙ୍ଗରେ ଏ.ଆର ରେହମାନଙ୍କ ସହ କିଙ୍ଗ୍ ଖାନ ଶାହାରୁଖ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଟିଜରରେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରର୍ଦଶନ କରାଯାଇଛି । ଯାହା ଦଶର୍କଙ୍କ ମନକୁ ବେଶ ଛୁଇଁଛି । ଏହି ଗୀତରେ ଏ.ଆର ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାକୁ ଲେଖିଛନ୍ତି ପ୍ରସିଦ୍ଧ ଗୀତିକାର ଗୁଲଜାର । ଏହି ଟିଜର ରିଲିଜ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏ.ଆର ରେହମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ହକି ପ୍ରେମୀଙ୍କ ଉତ୍ସାହକୁ ବଢାଇ ଦେଇଛି ଏହି ଆକର୍ଷଣୀୟ ଟିଜର । ଟିଜରର ସମ୍ପୂର୍ଣ୍ଣ ଭାଗ ଦେଖିବାକୁ ଭୁବନେଶ୍ୱର ଓ କଟକରେ ଆପଣଙ୍କର ଲାଇଭ କାର‌୍ୟ୍ୟକ୍ରମକୁ ଅପେକ୍ଷା କରି ରହିଛୁ ।

ଟିଜର ରିଲିଜ ପୂର୍ବରୁ ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ ବିକ୍ରି ପାଇଁ ଘୋଷଣା କରିଛି ହକି ଇଣ୍ଡିଆ । ୨୦ ତାରିଖ ୧୨ଟା ସମୟରେ ଅନଲାଇନରେ ଟିକେଟ କାଟିପାରିବେ ହକିପ୍ରେମୀ । ଅନଲାଇନରେ କାଟିଥିବା ଟିକେଟ ହକିପ୍ରେମୀ ମାନେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରରୁ ନେଇପାରିବେ । www.ticketgenie.inସାଇଟକୁ ଯାଇ କ୍ରୀଡାପ୍ରେମୀ ମାନେ ଅନଲାଇନରେ ଟିକେଟ କାଟିପାରିବେ ।