ବୈଠକ ଡାକିଲେ ଅମିତ ଶାହ : ଆସନ୍ତା ସପ୍ତାହରେ ବରିଷ୍ଠ ନେତାଙ୍କ ସହ ଆଲୋଚନା, ବଡ଼ ପରିବର୍ତ୍ତନ ସମ୍ଭାବନା

388

କନକ ବ୍ୟୁରୋ : ୨୦୧୯ରେ ବିପୁଳ ବିଜୟ ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ଅମିତ ଶାହ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ବିଜେପିର ଦାୟିତ୍ୱ କାହା ହାତରେ ନ୍ୟସ୍ତ କରିବେ ସେ ଚିନ୍ତାରେ ଶାହ । ଆଉ ଏଥିପାଇଁ ଆସନ୍ତା ୧୩ ଓ ୧୪ ତାରିଖ ଦିନ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି । ଶାହ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ନେତାମାନଙ୍କୁ ନେଇ ସମୀକ୍ଷା କରିବେ ।

ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତିଙ୍କୁ ପରିବର୍ତ୍ତନ କରାଯିବା ସହ କିଛି ବଡ ନିଷ୍ପତି ନିଆଯାଇପାରେ । ଏହାକୁ ନେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନ ହେବାକୁ ଥିବାରୁ ଏହି ତିନିଟି ରାଜ୍ୟରେ କୌଣସି ପରିବର୍ତ୍ତନ ନ ହୋଇପାରେ । ଶାହାଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ଏବର୍ଷ ଆରମ୍ଭରେ ହିଁ ସରିଯାଇଥିଲା । ତେବେ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳକୁ ୬ ମାସ ବଢ଼ାଇ ଦିଆଯାଇଥିଲା । ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟକ୍ଷଙ୍କୁ ବାଛିବେ ।