ସୁର ସାମ୍ରାଜ୍ୟର ପତନକୁ ଦୁଇ ବର୍ଷ ପୂରିଲା ! ଝିଣ୍ଟି ଆଶ୍ରମରୁ ଝାରପଡ଼ା ଜେଲ୍‌

83

କନକ ବ୍ୟୁରୋ: ୨୦୧୫ ମସିହା ଅଗଷ୍ଟ ୩୦ ତାରିଖ ସଂଧ୍ୟା। ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କ କାଣ୍ଡ କାରଖାନାକୁ ନେଇ ଦୀର୍ଘ ଦିନ ଧରି ଚାପି ହୋଇ ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା । ହଜାର ହଜାର ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ ଆଶ୍ରମ ପରିସରରେ ଏକାଠି ହୋଇ ବ୍ୟାପକ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ଫଳରେ ଆଶ୍ରମ ପରିସରରେ ଥୁଆ ହୋଇଥିବା କାର, ଅଟୋ, ଟାଟା ମ୍ୟାଜିକ, ବାଇକ ଆଦି ୨୦ଟି ଗାଡ଼ି ସଂପୂର୍ଣ ଜଳି ଯାଇଥିଲା ।

ଲୋକ ସୁରବାବାବାଙ୍କ ଗିରଫ ଦାବିରେ ଏମିତି ଅଡ଼ି ବସିଥିଲେ ଯେ, ଶେଷରେ ପୁଲିସ ରାତି ପାଖାପାଖି ଅଢ଼େଇଟାବେଳେ ସୁର ବାବା ଓ ତାଙ୍କ ଦୁଇ ପୁଅ ତ୍ରିଲୋଚନ, ବିରଞ୍ଚିଙ୍କୁ ଗିରଫ କରିଥିଲା । ଆଶ୍ରମ ପରିସରରୁ ଅନେକ ମାରଣାସ୍ତ୍ର ସହିତ ବସ୍ତାବସ୍ତା ଟଙ୍କା ଜବତ କରିଥିଲା ପୁଲିସ । ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ‘ଶୂନ୍ୟପୋଥି’ର ଦ୍ୱାହି ଦେଇ ଲୋକଙ୍କୁ ଠକିବା ସହ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଥିବା ସୁରବାବାଙ୍କ ବିରୋଧରେ ବହୁ ମହିଳା ଯୌନ ଶୋଷଣ ଅଭିଯୋଗ ମଧ୍ୟ ଆଣିଥିଲେ । ତେବେ ଏହି ବହୁଚର୍ଚ୍ଚିତ ଘଟଣାକୁ ଆଜି ଦୁଇ ବର୍ଷ ପୁରିଛି ।

ଚର୍ଚ୍ଚାରେ ଥିଲା ନାଇଟ୍ କଲେଜ୍ ଓ ରାହାସ ଲୀଳା

୨୦୧୫ ଅଗଷ୍ଟ ୩୦ ତାରିଖ ଅପରାହ୍ନରେ ଏକଦା ସୁରବାବାଙ୍କ ଆଶ୍ରିତ ଥିବା ଜଣେ ମହିଳା ଗଣମାଧ୍ୟମ ଆଗରେ ନାଇଟ୍ କଲେଜ ଓ ରାହାସଲୀଳା କଥା ପ୍ରଘଟ କରିଦେଲେ । ଏନେଇ ସେ ୩୧ ତାରିଖରେ ବାଲିପାଟଣା ଥାନାରେ ଏତଲା ଦାୟର କରିଥିଲେ । ସେ ସଙ୍ଗିନ ଅଭିଯୋଗ ଆଣି ଦର୍ଶାଇଥିଲେ ଯେ ସୁର ଅଶ୍ରିତ ମହିଳାମାନଙ୍କୁ ରାତିରେ ଲକ୍ଷ୍ମୀ ମନ୍ଦିରକୁ ଡାକି ଏକ ସ୍ୱତନ୍ତ୍ର ପଲଙ୍କରେ ବସି ରାହାସଲୀଳା କରୁଥିଲେ । କୋଠରି ବାହାରେ ବାବାଙ୍କ ଦ୍ୱାରା ପୋଷ୍ୟ ଲାଲବାହୀନର କେତେକ ବଛା ବଛା ଯୁବକ ଜଗି ରହୁଥିଲେ । ସୁର ନିରୀହ ମହିଳାଙ୍କୁ ଉଲଗ୍ନ ହେବାକୁ ନିର୍ଦ୍ଦେଶ ଦେଉଥିଲେ । ଆଉ ପୂଜା କରିବେ ବୋଲି କହି ଯୌନ ପିପାସା ଚରିତାର୍ଥ କରୁଥିଲେ ।

କେମିତି ପଦାକୁ ଆସିଲା ସୁରଙ୍କ କାଣ୍ଡ କାରଖାନା

ବିହାରରେ ହତ୍ୟା ଭଳି ସଙ୍ଗିନ୍ ମାମଲାରୁ ରକ୍ଷା ପାଇବାକୁ ଲୁଚି ପଳାଇ ଆସି ତ୍ରାହି ଅଚ୍ୟୁତ ଆଶ୍ରମ ଭିତରେ ଆଶ୍ରୟ ନେଇଥିଲେ ଦୁଇ କୁଖ୍ୟାତ ଅପରାଧୀ । ସମୁଦ୍ର ମନ୍ଥନରୁ ବିଷ ବାହାରିଲା ପରି ଦୁଇ ଅପରାଧୀଙ୍କୁ ବିହାର ପୁଲିସ ଏଠାକୁ ଆସି ଗିରଫ କରିନେବା ପରେ ତ୍ରାହି ଅଚ୍ୟୁତ ଆଶ୍ରମର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଲା । ବର୍ଷ ବର୍ଷ ଧରି ସୁରବାବା ଓ ତାଙ୍କ ଗୁଣ୍ଡା ବାହିନୀର ନିର୍ୟାତନା ଓ ଗୁଣ୍ଡାରାଜ ବିରୋଧରେ ସ୍ଥାନୀୟ ଲୋକେ ମେଳି ବାନ୍ଧିଲେ । ସେପଟେ ଜଣେ ଆଶ୍ରିତ ଭକ୍ତ ବାବାଙ୍କ ବିଲ୍ଡର ପୁତ୍ରଙ୍କଠାରୁ ତ୍ରାହି ଅଚ୍ୟୁତ ନଗରରେ ଜମି ଓ ଘର କିଣି ସେଠାରୁ ଜୋର ଜବରଦସ୍ତ ବିତାଡ଼ିତ ହୋଇଥିବା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କଲେ ।

ଏହାଛଡ଼ା ସରକାରୀ ଜମିରେ ବେଆଇନ୍ ନିର୍ମାଣ କରି ଭଡ଼ା ଦେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ସୁରବାବାଙ୍କ ନାମରେ ମଧ୍ୟ ମାମଲା ରୁଜୁ କଲେ । ସବୁ ଘଟଣାର ଟିଖିନିଖି ବିବରଣୀ ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ତେଜିଥିଲା ଜନ ଅସନ୍ତୋଷ । ପରେ ପରେ ଗଣମାଧ୍ୟମରେ କେତେକ ମହିଳା ସୁରଙ୍କ ରାହାସଲୀଳା ଓ ବ୍ୟଭିଚାରର କରୁଣ କାହାଣୀ ବର୍ଣ୍ଣନା କଲେ । ଏହା ଲୋକଙ୍କ ଅସନ୍ତୋଷ ନିଆଁରେ ଘିଅ ଢାଳିଦେଲା । ହଜାର ହଜାର ଲୋକ ଅଗଷ୍ଟ ୩୦ ତାରିଖ ରାତିରେ ଆଶ୍ରମ ଭିତରକୁ ବଳପୂର୍ବକ ପ୍ରବେଶ କରି ବାବା ଓ ତାଙ୍କ ହାଇ ପ୍ରୋଫଇଲ୍ କେତେକ ଭକ୍ତଙ୍କ ଗାଡ଼ି ପୋଡ଼ାଜଳା କଲେ । ଚେୟାର, ଟେବୁଲ, ଲାଇଟ୍ ଯାହା ପଡ଼ିଲା ତାହା ଭାଙ୍ଗିଲେ । ବାବା ସୁର ତାଙ୍କ ଦୁଇ ପୁଅ ତ୍ରିଲୋଚନ ଏବଂ ବିରଞ୍ଚି ଲୁହା କବାଟ କିଳି ଘରେ ଲୁଚିଥିଲେ ହେଁ ସେମାନଙ୍କୁ ପିଟିବାକୁ ଲୋକେ ଛକି ବସିଲେ । ରାତି ବଢ଼ିଲା । ୪ପ୍ଲାଟୁନ୍ ପୁଲିସ ଧରି ପହଞ୍ଚିଲେ କମିସନର, ଡିସିପି ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ। ଶେଷରେ ଅଗଷ୍ଟ ୩୦ ତାରିଖ ରାତି ଅଢ଼େଇଟା ବେଳକୁ ବାବା ସୁର ଓ ତାଙ୍କର ଦୁଇ ପୁଅଙ୍କୁ ପୁଲିସ ହେପାଜତକୁ ନେଲା ।

କୁଆଡ଼େ ଗଲେ ସାନ ମା’?

ସୁର ବିବାହିତ ଥିଲେ । ମାତ୍ର ଦକ୍ଷିଣ ଓଡ଼ିଶାର ଜଣେ ଯୁବତୀ ପୋଥିରୁ ନିଜ ଭବିଷ୍ୟ ଜାଣିବାକୁ ଆସିଥିବାବେଳେ ସୁର ଭବିଷ୍ୟତରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବ ବୋଲି କହି ତାଙ୍କୁ ଏମିତି ବଶୀଭୂତ କରିଥିଲେ ଯେ ସମ୍ପୃକ୍ତ ଯୁବତୀ ଜଣଙ୍କ ସେହି ଦିନଠାରୁ ଆଶ୍ରମରେ ରହିଯାଇଥିଲେ । ଆଉ ମୁଣ୍ଡରେ ସିନ୍ଦୂର ହାତରେ କାଚ ପିନ୍ଧି ନିଜକୁ ସାନ ମା’ର ପରିଚୟ ପ୍ରଦାନ କରିଆସୁଥିଲେ । ସାନ ମା’ ରାହାସଲୀଳା କମିଟିର କାର୍ପଟଦାର ହେବା ସହ ଆଶ୍ରମର ଅନ୍ୟତମ ଉତ୍ତରାଧିକାରୀ ବୋଲାଉଥିଲେ । ସାନ ମା’ଙ୍କୁ ଅନେକ ବିଶ୍ୱାସ ଓ ଭୟ କରୁଥିଲେ । ବାବାଙ୍କ ସ୍ୱତନ୍ତ୍ର ସେବାରେ ସେ ନିୟୋଜିତ ଥିବାରୁ ତାଙ୍କ ନିର୍ଦ୍ଦେଶ ବିନା ଆଶ୍ରମରେ ପତ୍ର ବି ହଲୁ ନଥିଲା । ସୁର, ଦୁଇ ପୁତ୍ର ତ୍ରିଲୋଚନ ଏବଂ ବରିଞ୍ଚି ଗିରଫ ହେବା ପରେ ହଠାତ ସାନ ମା’ କେଉଁ ଆଡ଼େ ଚାଲିଗଲେ । ପୁଲିସ ସାନ ମା’ଙ୍କୁ ଖୋଜି ଜେରା କଲେ ରାହାସଲୀଳା ଏବଂ ନାଇଟ୍ କଲେଜ୍ ଭଳି ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି ସ୍ଥାନୀୟ ଲୋକେ କହନ୍ତି ।

କାରାଗାରରେ ବାପ-ପୁଅ, ଆଶ୍ରମ ଖାଁ ଖାଁ

ଧର୍ମ ନାମରେ ବିରାଟ ବ୍ୟବସାୟିକ ପେଣ୍ଠସ୍ଥଳ ପାଲଟିଥିବା ତତକାଳୀନ ଝିଣ୍ଟି ଶାସନ, ପୋଟଣା ଗାଁର ତ୍ରାହି ଅତ୍ୟୁତ ନଗର ଏବେ ଖାଁ ଖାଁ । ଆଉ ଚାଲୁନାହିଁ ସୁରବାବାଙ୍କ ଦରବାର ବା ରହସ୍ୟମୟ ପୋଥିର ହୁକୁମ୍ । ରହସ୍ୟ ହୋଇ ରହିଯାଇଛି ରାହାସଲୀଳା ଓ ନାଇଟ୍ କଲେଜ ପ୍ରସଙ୍ଗ । ମାତ୍ର ଚାଷ ଜମିର ସବୁଜ ବଳୟ ଭିତରେ ଏବେବି ଠିଆ ହୋଇ ରହିଛି ବେଆଇନ ଭାବେ ନିର୍ମିତ ୭୦ରୁ ଊର୍ଦ୍ଧ୍ୱ ଅଟ୍ଟାଳିକା, ଶିବ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଭଣ୍ଡାର ଗୃହ ସର୍ବୋପରି ବିବାଦୀୟ ପୋଥି ଗୃହ । ସୁରବାବା ଓ ତାଙ୍କ ବଡ଼ ପୁଅ ତ୍ରିଲୋଚନ ଏବେ ବି ଝାରପଡ଼ା ଜେଲରେ ବିଚାର ଅପେକ୍ଷାରେ କାଳ କାଟୁଛନ୍ତି । ଦୁହିଁଙ୍କ ବିରୋଧରେ ଠକେଇ, ଲୁଣ୍ଠନ, ଦଳିତଙ୍କ ବିରୋଧରେ ନିର୍ୟାତନା, ହତ୍ୟା, ହତ୍ୟା ଉଦ୍ୟମ ଭଳି ସଂଗିନ ମାମଲା ବିଚାରାଧୀନ ଥିବାରୁ ଦୁହିଁଙ୍କୁ ଜାମିନ୍ ମିଳିନାହିଁ । କିନ୍ତୁ ବାବାଙ୍କ ସାନ ପୁଅ ବିରଞ୍ଚି ଜାମିନରେ ମୁକୁଳିଛି ।

ଏବେବି ରହସ୍ୟ ଘେରରେ ବାବାଙ୍କ ଶୂନ୍ୟପୋଥି

ଯେଉଁ ଶୂନ୍ୟପୋଥିକୁ ନେଇ କର୍ମକାଣ୍ଡ ପୁରୋହିତରୁ ସୁରେନ୍ଦ୍ର ବନି ଯାଇଥିଲେ ମହାପଣ୍ଡିତ ଏବେ ସେହି ପୋଥିକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହି ପୋଥିରୁ ସୁରବାବା ଲୋକଙ୍କ ଆଗତ ଭବିଷ୍ୟତ କହୁଥିବାବେଳେଏହାକୁ ଲୋକେ ସରଳରେ ବିଶ୍ୱାସ କରି ଯାଉଥିଲେ । ଆଉ ସୁର ସ୍ୱାମୀ-ସ୍ତ୍ରୀ ଝଗଡ଼ା, ପିତାମାତାଙ୍କ ମନରେ ସନ୍ତାନ ସନ୍ତତିଙ୍କ ରିଷ୍ଟ ଭୟ ସୃଷ୍ଟି କରିବା ସହିତ ରାଜନୈତିକ ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦ ପ୍ରଦାନ, ବାବୁଙ୍କ ପଦୋନ୍ନତି ଇତ୍ୟାଦି କରିଦେଇ ପାରିବେ ବୋଲି ଦୃଢ଼ୋକ୍ତି କରୁଥିବା ଅଭିଯୋଗ ହୋଇଥିଲା । ଯେତେ ରିଷ୍ଟ ଅଛି ବାବାଙ୍କ ଆଶ୍ରମରେ ଆଶ୍ରିତ ରହିଲେ କଟିଯିବ ବୋଲି ସୁରବାବା ଲୋକଙ୍କୁ ଅଭୟବାଣୀ ଶୁଣାଉଥିଲେ । ତେବେ ସୁର ଗିରଫ ହେବା ସମୟରେ ପ୍ରକୃତରେ ସେହି ପୋଥି ଜବତ ହୋଇଛି କି ନାହିଁ ଏବଂ ଯଦି ଜବତ ହୋଇଥିଲା ତାହା ଏବେ କେଉଁଠି ତାହା କାହାକୁ ଜଣା ନାହିଁ ।