ସିୱେଜ୍ ସିପିଂ ଜିଏମ୍ ହତ୍ୟା ମାମଲା: ଥାଇଲାଣ୍ଡରେ ଅଟକ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି ଅଣାଯିବ ଭାରତ

25

କନକ ବ୍ୟୁରୋ: ଶେଷରେ ଧରାପଡିଲେ ମହିମା ମିଶ୍ର । ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି । ମହିମାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ କେବି ସିଂ । ଥାଇଲାଣ୍ଡର ଇମିଗ୍ରେସନ ସେଂଟରରେ ତାଙ୍କୁ ଅଟକ ରଖିଛିି ଇମିଗ୍ରେସନ ପୋଲିସ । ତାଂକୁ ଭାରତ ଆଣିବାକୁ ପାରାଦୀପର ୬ ଜଣିଆ ପୋଲିସ ଟିମ୍ ଥାଇଲାଣ୍ଡ ଯାଇଛି । ଆସନ୍ତାକାଲି ତାଂକୁ ପ୍ରଥମେ ଭାରତ ଅଣାଯିବ । ସେଠାରୁ ଭୁବନେଶ୍ୱର ଆଣିବାକୁ ଯୋଜନା କରିଛି ଓଡିଶା ପୋଲିସ । ଇଂଟରପୋଲର ସୂଚନା ଆଧାରରେ ଥାଇଲାଣ୍ଡ ପୋଲିସ ତାଙ୍କୁ ଅଟକ ରଖିଛି ।

୧୫ ଦିନିଆ ଟୁରିଷ୍ଟ ଭିସାରେ ମହିମା ଏବଂ ବସନ୍ତ ବଳ ପ୍ରଥମେ ଦିଲ୍ଲୀରୁ ନେପାଳ ଏବଂ ପରେ ଥାଇଲାଣ୍ଡ ଯାଇଥିଲେ । ତାଙ୍କ ସହ ତାଙ୍କ ପରିବାରର କିଛି ସଦସ୍ୟ ଓ ୬ ରୁ ୭ ଜଣ ଅଙ୍ଗରକ୍ଷୀ ଥିବା ସୂଚନା ମିଳିଛି । ଥାଇଲାଣ୍ଡ ପୋଲିସର ଲେଫ୍ଟନାଂଟ୍ ଜେନେରାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ମହିମାଙ୍କୁ ଅଟକ ରଖିବା ନେଇ ସୂଚନା ଦେଇଛନ୍ତି । ଥାଇଲାଣ୍ଡରେ ମହିମା ମିଶ୍ର ଏକ ଫାଇଭ୍ ଷ୍ଟାର ହୋଟେଲରେ ବିଳାସ ବ୍ୟସନରେ ରହୁଥିଲେ, ଯାହାର ଦିନକୁ ଭଡା ୧ଲକ୍ଷ ଟଂକା ।

ପୋଲିସ ଡିଜି କହିଛନ୍ତି, ଓଡିଶା ଅଣାଯିବା ପରେ ତାଂକୁ ରିମାଣ୍ଡରେ ଅଣାଯିବ । ପାରାଦୀପ ସିୱେଜ୍ ସିପିଂ କଂପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ମହିମା ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ମହିମାଙ୍କୁ ଗିରଫ କରିବାକୁ ପ୍ରଥମେ ଲୁକ୍ ଆଉଟ୍ ସର୍କୁଲାର୍ ଏବଂ ପରେ ଏନବିଡବ୍ଲୁ ଜାରି ହୋଇଥିିଲା । ମହିମାଙ୍କ ପାରାଦୀପ ସ୍ଥିତ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ଏକାଧିକ ଥର ଚଢାଉ କରିଥିଲା ପୋଲିସ ।

ସୁପାରି କିଲର ରାକେଶ ଚୌବେଙ୍କୁ ଗିରଫ ପରେ ଜେରା ବେଳେ ମହିମାଙ୍କ ନାଁ ପଦାକୁ ଆସିଥିଲା । ଏହା ପରେ ମହିମାଙ୍କୁ ଖୋଜୁଥିଲା ପୋଲିସ । ତେବେ ସେ ଫେରାର ହୋଇଯାଇଥିଲେ । ମହେନ୍ଦ୍ର ସ୍ୱାଇଁ ହତ୍ୟାରେ ସଂପୃକ୍ତି ଅଭିଯୋଗରେ ପୋଲିସ ଦିଲ୍ଲୀରୁ ସୁଶାନ୍ତ ସେଠୀଙ୍କୁ ଗିରଫ କରି ପାରାଦୀପ ଆଣିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଘଟଣାରେ ପୂର୍ବରୁ ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ଗିରଫ କରିସାରିଛି ପୋଲିସ । ମାମଲାରେ ଏଯାଏଁ ୯ ଜଣଙ୍କୁ ଗିରଫ କରିସାରିଛି ପାରାଦୀପ ପୋଲିସ ।