ବିତିଗଲାଣି ୧୬ ବର୍ଷ ! ଓଡ଼ିଶାର ୬ଟି ସହରରେ ଏବେ ବି ଚାଲିଛି ସ୍ୱେରେଜ ଖୋଳା, କିନ୍ତୁ ସରୁନି କାମ । ରିର୍ପୋଟ ଦେଲା ସିଏଜି

54

କନକ ବ୍ୟୁରୋ : ଓଡ଼ିଶାର ୬ଟି ସହରରେ ଗତ ୧୬ ବର୍ଷ ଧରି ଚାଲିଛି ସ୍ୱେରେଜ୍ କାମ । ହେଲେ ଏହି କାମ ପାଇଁ ବିଭିନ୍ନ ସୂତ୍ରରୁ ଆସିଥିବା ଟଙ୍କାରୁ ମାତ୍ର ୫୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ଭୁବନେଶ୍ୱର, ପୁରୀ ଓ କଟକରେ ସ୍ୱେରେଜ୍ ପାଇପ୍ କାମ କରୁଥିବା ଠିକାଦାରମାନଙ୍କୁ ଅନୁଗ୍ରହ ଦେଖାଉଥିବାରୁ ମନ୍ଥର ଗତିରେ ଚାଲିଛି ସ୍ୱେରେଜ କାମ । ସିଏଜି ଏଭଳି ରିପୋର୍ଟ ଦେବା ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

Integrated-Sewerage-System-STP-for-Bhubaneswar-City-Orissaଭୁବନେଶ୍ୱରରେ ଗତ ୧୦ ବର୍ଷ ହେଲା ଚାଲିଛି ସ୍ୱେରେଜ୍ କାମ । ଭୁବନେଶ୍ୱରରେ ଆବର୍ଜନା ପାଣି ନିଷ୍କାସନ ପାଇଁ ୨୦୦୭ରେ ଆରମ୍ଭ ହୋଇଥିଲା ସ୍ୱେରେଜ୍ ପାଇପ୍ ଓ ପମ୍ପ ନିର୍ମାଣ କାମ । ୩ ବର୍ଷରେ କାମ ସରିବାକୁ ଥିବାବେଳେ ଏବେ ସୁଦ୍ଧା ମାତ୍ର ୪୦ ପ୍ରତିଶତ କାମ ଶେଷ ହୋଇଛି । ଏକଥା କହିଛନ୍ତି ସିଏଜି । ସେହିଭଳି ପୁରୀରେ ୧୫ ବର୍ଷ ହେଲା ଚାଲିଛି ସ୍ୱେରେଜ୍ କାମ । ଏବେ ବି କାମ ସଂପୂର୍ଣ୍ଣ ସରିନାହିଁ । ଅନ୍ୟପଟରେ କଟକରେ ଚାଲିଥିବା କାମ ଚଳିତବର୍ଷ ସୁଦ୍ଧା ସରିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୩୪ ପ୍ରତିଶତ କାମ ସରିଛି । ସମୀକ୍ଷାରୁ ଏକଥା କହିଛନ୍ତି ସିଏଜି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏବେ ଏ ନେଇ ତର୍ଜମା ଆରମ୍ଭ ହୋଇଛି । ଏ ନେଇ ସ୍ୱେରେଜ୍ ବୋର୍ଡ ସମେତ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ ସଂସ୍ଥାଙ୍କୁ ଉତ୍ତର ଦେବାକୁ ଚିଠି କରିଛି ନଗର ଉନ୍ନୟନ ବିଭାଗ ।

ଜାପାନ ସରକାରଙ୍କଠାରୁ ଋଣ ଆଣି କଟକରେ ସ୍ୱେରେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ୨୦୦୬ରେ ଡିପିଆର୍ ମଂଜୁର ହୋଇଥିଲା । ଚଳିତ ବର୍ଷ ସୁଦ୍ଧା କାମ ସରିଯିବା କଥା । ମାତ୍ର ଏପର୍ଯ୍ୟନ୍ତ ୩୪ ପ୍ରତିଶତ କାମ ବି ଶେଷ ହୋଇନଥିବା ସିଏଜି ଦର୍ଶାଇଛନ୍ତି । ସହରର ଦୂଷିତ ପାଣିକୁ ବିଶୋଧନ କରି ନଦୀରେ ଛାଡ଼ିବାକୁ କଟକର ମତଗଜପୁରରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଏକ ଟ୍ରିଟମେଂଟ୍ ପ୍ଲାଂଟ୍ ତିଆରି କରାଯାଇଥିଲା । ମାତ୍ର ତାହା ଅଚଳ ହୋଇଗଲା । ଟଙ୍କା ପାଣିରେ ପଡ଼ିଲା ବୋଲି ସିଏଜି ଦର୍ଶାଇଛନ୍ତି । ପୂର୍ବଭଳି କାଠଯୋଡ଼ି ଓ ମହାନଦୀକୁ ସହରର ଆବର୍ଜନା ପାଣି ଛଡ଼ା ଯାଉଛି । ୧୯୯୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀରେ ସ୍ୱେରେଜ୍ କାମ ଆରମ୍ଭହୋଇଥିଲା । ୨୦୦୨ରେ ଓଡ଼ିଶା ସରକାର ଏହି କାମର ଡିପିଆରକୁ ମଂଜୁର କରିଥିଲେ । ୧୫ ବର୍ଷ ପରେ ବି ପୁରୀରେ କାମ ସଂପୂର୍ଣ୍ଣ ସରିନାହିଁ । ବର୍ତମାନ ଅନେକ ସ୍ଥାନରେ ସ୍ୱେରେଜ୍ ପାଇପ୍ ଦବି ଯାଉଥିବା ଦେଖାଯାଉଛି ।

ସିଏଜିଙ୍କ ହିସାବ ଅନୁସାରେ ଓଡ଼ିଶାର ସ୍ୱେରେଜ୍ ବୋର୍ଡ ୨୦୦୧ରୁ ୨୦୧୬ ମସିହା ମଧ୍ୟରେ ବିଭିନ୍ନ ସୂତ୍ରରୁ ୨,୨୬୪ କୋଟି ଟଙ୍କା ପାଇଛନ୍ତି । ୬ଟି ସହରରେ ସ୍ୱେରେଜ୍ କାମ କରୁଥିବା ସ୍ୱେରେଜ୍ ବୋର୍ଡ ଏପର୍ଯ୍ୟନ୍ତ ମାତ୍ର ୫୯ ପ୍ରତିଶତ ଅର୍ଥ ଖର୍ଚ କରିଛି । ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଚାଲୁଥିବାବେଳେ ଠିକାଦାରମାନଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରାଯାଇଛି । ଉପଯୁକ୍ତ ସ୍ୱେରେଜ୍ ବ୍ୟବସ୍ଥା ନଥିବାରୁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଓ ତାଳଚେର ସହରର ଆବର୍ଜନା ଜଳ ମହାନଦୀ, କାଠଯୋଡ଼ି, କୁଆଖାଇ, ଦୟା ଓ ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି ।