ଜଳବନ୍ଦୀ ବଲାଙ୍ଗିର: ଘରେ ପଶିଲା ବର୍ଷା ପାଣି, ଭାସିଲା କାର୍; ଗୁଡଭେଲା-ଦେଓଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ, ଟ୍ରାକରେ ପାଣି ଜମିବାରୁ ଅଟକିଲା ଏକାଧିକ ଟ୍ରେନ୍

ପାଣି ଉବୁଟୁବୁ ସାରା ସହର, ରାସ୍ତାରେ ଛୁଟିଲା ସୁଅ, ସେପଟେ, ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କଲେ ଜିଲ୍ଲାପାଳ

612

କନକ ବ୍ୟୁରୋ: ବଲାଙ୍ଗୀରରେ ବର୍ଷା ଆଣିଛି ବିତ୍ପତି । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀରର ସ୍ଥିତି ସଂଗୀନ ହେବାରେ ଲାଗିଛି । ରାସ୍ତା ଉପରେ ନଦୀ ଭଳି ପ୍ରଖର ସ୍ରୋତରେ ବହି ଚାଲିଛି ବର୍ଷା ପାଣି । ମୁଖ୍ୟ ରାସ୍ତା ଉପରେ ୬ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି । ଆଉ ପାଣିର ଏହି ପ୍ରଖର ସ୍ରୋତରେ ରାସ୍ତା ଉପରେ ରଖାଯାଇଥିବା ଗାଡିଗୁଡିକ ବି ଭାସି ଯାଉଛି ।

 

ଅନ୍ୟପଟେ, ଟ୍ରେନ୍ ଟ୍ରାକରେ ପାଣି, ବିଭିନ୍ନ ସ୍ଥାନରେ ଅଟକିଲା ଟ୍ରେନ୍ । ରେଳ ଧାରଣା ଉପରେ ପାଣି ଯୋଗୁଁ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍ ବରପାଲିରେ ଅଟକି ରହିଛି, ଆଜମେର-ପୁରୀ ଏକ୍ସପ୍ରେସ୍ ଲୋଇସିଂହାରେ , ଇସ୍ପାତ ଏକ୍ସପ୍ରେସ୍ ଡୁଙ୍ଗୁରିପାଲିରେ ଅଟକି ରହିଛି । ଏହି ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଟ୍ରେନ୍ ଟ୍ରାକରୁ ପାଣି କମିବା ପରେ ଟ୍ରେନଗୁଡିକ ଗନ୍ତବ୍ୟ ପଥରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ଦେଓଗାଁ – ବରଗଡ ଓ ଟିଟିଲାଗଡ ରୁଟର ରେଳ ଧାରଣା ଉପରେ ପାଣି ଯୋଗୁଁ ସେହି ରୁଟର ସମସ୍ତ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳବାଇ ପକ୍ଷରୁ ଆଗୁଆ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିରରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କୁତ୍ରିମ ବନ୍ୟା ଯୋଗୁଁ ସହରରେ କୁତ୍ରିମ ବନ୍ୟା ହୋଇଛି । ଯେଉଁଆଡେ ଦେଖିବ ଖାଲି ପାଣି ଆଉ ପାଣି । ସମ୍ପୂର୍ଣ୍ଣ ସହର ଜଳାର୍ଣବ ହୋଇଛି । ସହର ଭିତର ରାସ୍ତା ଜଳାଶୟର ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା କେଉଁଠି ଜଳାଶୟ ତାହା ଜାଣିବା କଷ୍ଟକର ହୋଇପଡିଛି । ବଲାଙ୍ଗିର ସହରର ମୁଖ୍ୟ ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଛି । ବିଭିନ୍ନ ସ୍ଥାନରେ ଘର ଭିତରେ ମଧ୍ୟ ପାଣି ପଶି ଯାଇଛି । ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତଳିଆ ଅଂଚଳର ସ୍ଥିତି ସଂଗୀନ ହୋଇପଡିଛି । ସହରର ତେଲିଗୋଟ ପଡା, ମାଲପଡା, କଂସାରିପଡା, ରାଜେନ୍ଦ୍ରପଡା, ଇନ୍ଦ୍ରାନଗର, ଶାସ୍ତ୍ରୀ ନଗର, ସାଗର ପଡା ଅଂଚଳ ଏକପ୍ରକାର ଜଳବନ୍ଦୀ ହୋଇ ରହିଛି । ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଏବଂ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ବଲାଙ୍ଗୀର ।