ଥଣ୍ଡାରେ ଥରୁଛି ସାରା ଓଡିଶା! ଚାରିଆଡେ ହେଉଛି ବରଫପାତ, ଓଡିଶାରେ ସୃଷ୍ଟି ହେଲା କାଶ୍ମୀରର ଭ୍ରମ

471

କନକ ବ୍ୟୁରୋ : ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡିଶା । ଚାରିଆଡେ ହାଡଭଙ୍ଗା ଶୀତ । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ସର୍ବନିମ୍ନ ୩ ଡିଗ୍ରୀ ରେକର୍ଡ ହୋଇଛି । ତା ଉପରକୁ ରହିଛି ଫୁଲବାଣୀ । ଏଠି ତାପମାତ୍ରା ୪ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ୫ ଦଶମିକ ୬ ଡିଗ୍ରୀ, ସୋନପୁର ୬ , କେଉଁଝର ୬ ଦଶମିକ ୪, ଭବାନୀପାଟଣା ୬ ଦଶମିକ ୫, ଟିଟିଲଗଡ, ୭, ବଲାଙ୍ଗୀର ୭ ଦଶମିକ ୧, କୋରାପୁଟ ୭ ଦଶମିକ ୨ ରେକର୍ଡ ହୋଇଛି । ରେକର୍ଡ ଭାଂଗିଛି ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା । ଏହି ଦୁଇ ସହରରେ ପାରଦ ୮ ଦଶମିକ ୨ ଡିଗ୍ରୀ ରହିଛି ।

ଓଡିଶାରେ କାଶ୍ମୀର ଭଳି ଦୃଶ୍ୟ । ବିଛାଇ ହୋଇ ପଡିଛି ବରଫ । ଘର ଛାତ, ଗାଡି ମୋଟର ଓ ରାସ୍ତା ଉପରେ ତୁଷାରପାତ ପରର ବରଫ ଆସ୍ତରଣ । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଦୁଇ ଦିନ ହେଲା ତୁଷାରପାତ ଜାରି ରହିଛି । ଏଠାରେ ତାପାମାତ୍ରା ଚଳିତ ବର୍ଷର ସବୁଠ୍ କମ୍ ୩ ଡିଗ୍ରୀ ରେକର୍ଡ ହୋଇଛି । ଜାଡରେ ଥରୁଛି ଦାରିଙ୍ଗବାଡି । ଫୁଲବାଣୀରେ ତାପମାତ୍ରା ରହିଛି ୪ ଡିଗ୍ରୀ । ଅସହ୍ୟ ଥଣ୍ଡା ସାଙ୍ଗକୁ ହାଡଭଂଗା ଶୀତ । ଅଭ୍ୟନ୍ତରୀଣ ଅଂଚଳରେ ତୁଷାରପାତ ବି ହେଉଛି ।

ଅନ୍ୟପଟେ ରେକର୍ଡ ଭାଂଗିଛି କେନ୍ଦୁଝରର ଶୀତ । ଥଣ୍ଡାର ପ୍ରକୋପ ଅସହ୍ୟ ହୋଇପଡିଛି । ପାରଦ ୬ ଡିଗ୍ରୀକୁ ଖସିଆସିଛି । ଜିଲ୍ଲାର କାଞ୍ଜିପାଣି ଅଂଚଳରେ ତୁଷାରପାତ ବି ହୋଇଛି । ଶୀତରେ ଥରୁଛି କଳାହାଣ୍ଡି । ଏଥର ଜାଡର ମାଡ ଅସହ୍ୟ ହୋଇପଡିଛି । ଜିଲ୍ଲାର ଥୁଆମୂଳ ରାମପୁର ଅଂଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଉତରରୁ ଆଭ୍ୟନ୍ତରୀଣ, ଉପକୂଳରୁ ଦକ୍ଷିଣ, ଥରୁଛି ସାରା ଓଡିଶା । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥରର ଶୀତ କେବେ ହୋଇନଥିଲା । ସକାଳ ୧୦ଟା ନହେଲେ ଘରୁ ବାହାରିହେଉନି । ଖୋଲା ଅଂଚଳରେ ଘରେ ବି ରହିହେଉନି ।

୧୭ଟି ସହରର ତାପମାତ୍ରା ୧୦ ତଳେ ରହିଛି । କିଛି ଜିଲ୍ଲାରେ ୬-୭ଡିଗ୍ରୀ ତଳକୁ ଖସିଆସିଛି ପାରଦ । ରାଜଧାନୀ ଭୁବନେଶ୍ୱରରେ ବି ଏଥର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରେକର୍ଡ ଭାଂଗିଛି ପାରଦ । ଟ୍ୱିନ୍ ସିଟିରେ ତାପମାତ୍ରା ୮ ଡିଗ୍ରୀ ପାଖାପାଖି ରହିଛି । ଆହୁରି ଦିନେ ଦୁଇ ଦିନ ଏଭଳି ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୋହଲା ପାଗ ଯୋଗୁଁ ଥରିଉଠୁଛି ଦେହ । ଥଣ୍ଡାରୁ ବଂଚିବା ପାଇଁ ଏବେ କେବଳ ନିଆଁ ସାଜିଛି ସାହାରା ।