ଚାଷୀଙ୍କ ସୁରକ୍ଷା ପାଇଁ ଅଂଟା ଭିଡିଲେ ଜଣେ ସପ୍ତମ ଶ୍ରେଣୀ ଛାତ୍ର । ରୋଗ ଦାଉରୁ ଫସଲ ରକ୍ଷା ପାଇଁ କଲେ ‘ସଂଜୀବନୀ’ । ସସସ୍ତଙ୍କ ମୁହଁରେ ଜ୍ୟୋତିଙ୍କ ପ୍ରଶଂସା ।

77

କନକ ବ୍ୟୁରୋ : ପୋକ ଦାଉରୁ ଫସଲ ନଷ୍ଟ ହେଉଥିବାରୁ ଚିନ୍ତାରେ ଓଡିଶାର ଚାଷୀ । ଫଳରେ ଅନେକ ଚାଷୀ ମଧ୍ୟ ଜୀବନ ହାରିଛନ୍ତି । ତେବେ ଏ ସମୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ଅଂଟା ଭିଡିଛି । ଏହି ସମୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ନିଜ ଘରବାଡ଼ିରେ ମିଳୁଥିବା ପଦାର୍ଥକୁ ନେଇ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବାପାଇଁ ଏକ ଅମୋଘ ‘ସଂଜୀବନୀ’ ପ୍ରସ୍ତୁତ କରିଛନ୍ତି। ଯାହାଫଳରେ ଫସଲରେ ଲାଗୁଥିବା କାଣ୍ଡବିନ୍ଧା, ମଇଁଷିଆ, ଧଳାମାଛି, ଉଙ୍କୁଣିଆ ଆଦି ପୋକ ମରିବା ସହିତ ଫସଲକୁ ବେଶ ସତେଜ ରଖିପାରୁଛି। କେବଳ ସେତିକି ନୁହେଁ ଫସଲର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ ସହାୟକ ହେଉଛି ‘ସଂଜୀବନୀ’। ବିଷବଳୟ ପରିବେଶରୁ ବି ମୁକ୍ତ କରୁଛି ‘ସଂଜୀବନୀ’।

ବାଲିପାଟଣା ବ୍ଲକ ଆମେଣାକୁଦ କ୍ଲଷ୍ଟର ଗୋବରିଆ ପ୍ରାଥମିକ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ଜ୍ୟୋତି ରଂଜନ ପଣ୍ଡାଙ୍କ ଏହି ‘ସଂଜୀବନୀ’ଔଷଧ ଉଚ୍ଚ ପ୍ରଶଂସିତ ହୋଇଛି। ଗତକାଲି ଖୋର୍ଧା ଜିଲ୍ଲାସ୍ତରୀୟ ବିଜ୍ଞାନମେଳାରେ ତାଙ୍କ ପ୍ରକଳ୍ପଟି ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ପାଇଁ ମନୋନୀତ ହୋଇଛି। ଏଥି ପାଇଁ ତାଙ୍କୁ ମାନପତ୍ର, ସିଲ୍ ଓ ଉପଢ଼ୌକନ ମଧ୍ୟ ମିଳିଛି। ଛାତ୍ରଙ୍କ ଗାଇଡ ଟିଚର ମଧୁସ୍ମିତା ବେହେରାଙ୍କ କହିବା ମୁତାବକ ଜ୍ୟୋତି ପ୍ରସ୍ତୁତ କରିଥିବା ‘ସଂଜୀବନୀ’ ଚାଷୀଭାଇମାନଙ୍କ ପାଇଁ ଏକ ଅମୋଘ ଔଷଧ। ଘରବାଡ଼ିରୁ ମିଳୁଥିବା ଜିନିଷରୁ ପ୍ରସ୍ତୁତ ଏହି ଔଷଧ ସଙ୍ଗେସଙ୍ଗେ ଫସଲରୁ ରୋଗପୋକ ରକ୍ଷା କରିବାରେ ସହାୟକ ହେବ।

କରଞ୍ଜ, ବେଲ, ଲିମ୍ବ, ଅରଖ ପତ୍ର ସହିତ ଗୋମୁତ୍ର, ଗୋବର, ଉଈ ହୁଙ୍କା ମାଟି, ଗୁଡ଼କୁ ମିଶାଇ ଏକ ହାଣ୍ଡିରେ ୨୧ଦିନ ରଖିବା ପରେ ‘ସଂଜୀବନୀ’ ପ୍ରସ୍ତୁତ ହେଉଛି। ଗୋଟିଏ ହାଣ୍ଡି ସଂଜୀବନୀରେ ୫୦ ଗ୍ରାମ ରସୁଣ ମିଶାଇଲେ ଧଳାମାଛି, ୫୦ଗ୍ରାମ ହଳଦୀଗୁଣ୍ଡ ମିଶାଇଲେ ଉଙ୍କୁଣିଆ, ୫୦ଗ୍ରାମ ଲଙ୍କାଗୁଣ୍ଡ ମିଶାଇ ଛିଞ୍ଚନ କଲେ ମଇଁଷିଆ ପୋକ ମରିବେ। ଫସଲ ଓ ପନିପରିବା ସ୍ୱାଦଯୁକ୍ତ ହେବା ସହ ଗଛର ରୋକ ପ୍ରତିରୋଧକ ଶକ୍ତି ବଢ଼ିଯିବ। ପୁରୀରେ ଆସନ୍ତା ୨୨ ଓ୨୩ରେ ହେବାକୁଥିବା ରାଜ୍ୟ ବିଜ୍ଞାନ ପ୍ରଦର୍ଶନୀରେ ଜ୍ୟୋତିଙ୍କ ଏହି ପ୍ରକଳ୍ପଟି ଭାଗ ନେବ। ‘ସଂଜୀବନୀ’କୁ ବହୁ ଚାଷୀ ବ୍ୟବହାର କରି ବେଶ୍ ଉପକୃତ ହେଉଛନ୍ତି ବୋଲି ଶିକ୍ଷୟିତ୍ରୀ ଜଣକ କହିଛନ୍ତି।