ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ।୧୦ଡିଗ୍ରୀ ତଳେ ସାତଟି ସହରର ତାପମାତ୍ରା ।

25

କନକ ବ୍ୟୁରୋ : ଶୀତରେ ଥରୁଛି ଓଡିଶା । ଥଂଡା ପାଗ ସହ କୋହଲା ପବନରେ ଜନଜୀବନ ଅତିଷ୍ଠ ହୋଇପଡିଛି । ପଶ୍ଚିମଓଡିଶାର କେତେକ ସ୍ଥାନରେ ବି ତାପମାତ୍ରା ହ୍ରାସ ପାଇଛି । ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ୭ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। ଆଭ୍ୟନ୍ତରୀଣ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବି ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଶନିବାର ସୁଦ୍ଧା ଆଉ କେତେକ ସ୍ଥାନରେ ବି ପାରଦ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓଡ଼ିଶାରେ ପ୍ରଭାବହୀନ ରହିବ ବୋଲି ପାଣିପାଗ ବିଶାରଦ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ତାହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ଦୁଇ ଦିନ ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସଙ୍ଗଠିତ ହୋଇ ଲଘୁଚାପର ରୂପ ନେଇପାରେ। ସେଠାରେ ଦୁଇରୁ ତିନି ଦିନ ରହିବା ପରେ ତାହା ଅସଙ୍ଗଠିତ ହୋଇ ଦକ୍ଷିଣ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଉପକୂଳ ତାମିଲନାଡ଼ୁରେ ବର୍ଷାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ପ୍ରତିଦିନ ଲଘୁଚାପ ହେଉଛି। ତାହାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ। ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ବରଂ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଆଉ ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଜାରି ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ ୭ ଡିଗ୍ରି ରହିଥିବା ବେଳେ ସୁନ୍ଦରଗଡ଼ରେ ୮, ଝାରସୁଗୁଡ଼ାରେ ୮.୫, ହୀରାକୁଦରେ ୮.୬, କେନ୍ଦୁଝରଗଡ଼ରେ ୯.୨, ଭବାନୀପାଟଣାରେ ୯.୫, କୋରାପୁଟ ଓ ଅନୁଗୁଳରେ ୧୦, ବାରିପଦାରେ ୧୦.୨, ବାଲେଶ୍ୱରରେ ୧୦.୪, ସୋନପୁର ଓ ସମ୍ବଲପୁରରେ ୧୦.୮, ଟିଟିଲାଗଡ଼ ଓ ବଲାଙ୍ଗିରରେ ୧୧ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୧୨.୪ ଡିଗ୍ରି ପହଞ୍ଚିଥିବା ବେଳେ କଟକରେ ୧୧.୫ ଡିଗ୍ରି ରହିଥିଲା।