ବାହାରେ ଶୌଚ କରୁଛନ୍ତି କି ସାବଧାନ ? ଯିବାକୁ ପଡିପାରେ ଜେଲ ଦେବାକୁ ପଡିପାରେ ଫାଇନ୍

51

କନକ ବ୍ୟୁରୋ : ଶୈାଚ କରିବାକୁ ବାହାରକୁ ଯାଉଛନ୍ତି କି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ବାହାରେ ଶୈାଚ କରିବା ମହଙ୍ଗା ପଡିଛି ରାଜସ୍ଥାନର ୭ ଜଣ ଯୁବକଙ୍କୁ । ବାହାରେ ଶୈାଚ କରିବା ହେତୁ ରାଜସ୍ଥାନ ପୁଲିସ ୭ ଜଣଙ୍କୁ ଗିରଫ କରିଛି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଘଟଣା ଘଟିଛି ରାଜସ୍ଥାନର ଭିଲବାଡ଼ା ଜିଲ୍ଲା ଜହାଜପୁର ତହସିଲରେ । ଶୁକ୍ରବାର ସକାଳେ ଜହାଜପୁର ତହସିଲର ଉପଖଣ୍ଡ ଅଧିକାରୀ ଗ୍ରାମ ପରିଭ୍ରମଣରେ ଯାଉଥିବା ବେଳେ କିଛି ଲୋକଙ୍କୁ ବାହାରେ ଶୌଚ କରୁଥିବାର ଦେଖି ସଙ୍ଗେ ସଙ୍ଗେ ପୁଲିସକୁ ଡାକିଥିଲେ । କେହି କିଛି ବୁଝିବା ପୂର୍ବରୁ ବାହାରେ ଶୌଚ କରୁଥିବା ୭ ଜଣ ଲୋକଙ୍କୁ ଗିରଫ କରିଥିଲା ପୁଲିସ୍ । କଥା କେବଳ ଏତିକିରେ ସରିନି ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହ ୧୦ ହଜାର ଟଙ୍କାର ମୁଲଚିକାରେ ଛଡାଯାଇଛି । ତା ସହିତ ୧୫ ଦିନ ମଧ୍ୟରେ ଶୈାଚାଳୟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି ବାହାରେ ଶୌଚ କରୁଥିବା କିଛି ଲୋକଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦିଆଯାଇଛି ।

କେବଳ ଜହାଜପୁର ନୂହେଁ ସ୍ୱାଧୀନତା ଦିବସରେ ଅବସରରେ ସୀତାମଢିରେ ମଧ୍ୟ ବାହାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଧରିବା ପାଇଁ ପ୍ରଶାସନ ଅପରେସନ ଓଡ଼ିଏଫ ଆରମ୍ଭ କରିଛି । ଏହି ଅଭିଯାନ ଦ୍ୱାରା ବାହାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଧରି ଜୋରିମାନା ଆଦାୟ କରାଯାଉଛି । ଏହି ଅଭିଯାନରେ ପ୍ରଶାସନ ଏପର୍ଯ୍ୟନ୍ତ ୯୪ ଜଣଙ୍କୁ ଅଟକ ରଖିଛି ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ଭାରତକୁ ସଫା ରଖିବାକୁ ଆହ୍ୱାନ ଦେଉଥିବା ବେଳେ ରାଜସ୍ଥାନର ଏହି ଘଟଣା ଅନ୍ୟ ରାଜ୍ୟ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ହୁଏତ ଏହି ଘଟଣା ସାମ୍ନାକୁ ଆସିବା ପରେ ବାହାରେ ଶୌଚ କରୁଥିବା ଲୋକ ନିଶ୍ଚିତ ଭାବେ ସାବଧାନ ହେବେ ।
ସୌଜନ୍ୟ- ଦୈନିକ ଜାଗରଣ