ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ରବୀନ ହୁଡ ଆର୍ମି । ସହର ସାରା ବୁଲି ବୁଲି ମାଗଣାରେ ଦେଉଛନ୍ତି ଖାଦ୍ୟ

106

କନକ ବ୍ୟୁରୋ : ଆଉ କେହି ରହିବେନି ଭୋକିଲା । ଦେଶରେ ଯେପରି କୌଣସି ଲୋକ ଉପାସ ନ ରୁହେ ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନା ଆଇନ । କିନ୍ତୁ ଏହି ଆଇନର ଅସଲ ରୂପ ସେତେବେଳେ ପଦାରେ ପଡୁଛି ଯେତେବେଳେ ଶହ ଶହ ଲୋକ ଖାଇବାକୁ ଓଳିଏ ନ ପାଇ ଉପାସରେ ଶୋଉଛି । ଭୋକରେ ଆଉଟପାଉଟ ହେଉଥିଲେ ମଧ୍ୟ ନା ଏମାନଙ୍କ ଉପରେ ସରକାରଙ୍କର ଦୃଷ୍ଟି ପଡୁଛି ନା ସ୍ୱାର୍ଥପର ସମାଜର । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଭୋକିଲା ମଣିଷର ପେଟର ବ୍ୟଥାକୁ ବେଶ ଭଲଭାବେ ବୁଝି ପାରିଛନ୍ତି । ଆଉ ସେଥିପାଇଁ ତ ନିଜ କର୍ମମୟ ଜୀବନ ମଧ୍ୟରୁ ସମୟ ଟିକିଏ ବାହାର କରି ପହଞ୍ଚି ଯାଉଛନ୍ତି ଭୋକିଲା ମଣିଷ ପାଖରେ । ଜଣେ କି ଦୁଇ ଜଣ ନୁହେଁ, ପାଖାପାଖି ୨୫ ଜଣ ଦରଦୀ ମଣିଷ ହାତ ମିଳାଇଛନ୍ତି ଭୋକିଲା ଲୋକ ମୁହଁରେ ହସ ଫୁଟାଇବା ପାଇଁ । ଆଉ ଭୋକିଲା ଲୋକଙ୍କ ପାଇଁ ଏମାନେ ସାଜିଛନ୍ତି ଦେବଦୂତ ।

ହାତରେ ଟିଫିନ୍ ପୁଡିଆ, ଚକଲେଟ ପ୍ୟାକେଟ ଓ ଫ୍ରେଣ୍ଡସିପ୍ ବ୍ୟାଣ୍ଡ । ଗତ ରବିବାର ଦିନ ପ୍ରାୟ ୨୫ ଜଣ ଲୋକେ ମୁହାଁଇଥିଲେ ଭୁବନେଶ୍ୱରର ପୋଖରିପୁଟ ଅଞ୍ଚଳରେ ଥିବା ବସ୍ତି ଆଡକୁ । ବନ୍ଧୁତ୍ୱ ଦିବସରେ ଏଭଳି ଦୃଶ୍ୟ ଦେଖି ଆମ ଟିମ୍ ମଧ୍ୟ ତାଙ୍କ ପଛେ ପଛେ ବସ୍ତିରେ ପହଞ୍ଚିଥିଲା । କିନ୍ତୁ ସେଠାରେ ଯାହା ଦେଖିବାକୁ ମିଳିଲା ତାହା ଆମକୁ ଆଶ୍ଚର୍ଯ୍ୟ କରିଥିଲା । ବସ୍ତିର ଛୁଆ ମାନଙ୍କୁ ଏକାଠି କରିଥିଲେ ଏହି ଗ୍ରୁପର ସଦସ୍ୟ । ବସ୍ତି ଛୁଆ ମାନଙ୍କ ହାତରେ ଟିଫିନ ପୁଡିଆ ଦେବା ସହ ବାନ୍ଧିଥିଲେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ । ଲାଗୁଥିଲା ସତେ ଯେମିତି ବନ୍ଧୁତ୍ୱ ଦିବସରେ ବସ୍ତି ପିଲାଙ୍କ ପାଇଁ ଏମାନେ ବନ୍ଧୁତ୍ୱର ଉପହାର ଧରି ଆସିଥିଲେ । କିନ୍ତୁ ବାସ୍ତବରେ ଏମାନେ ବସ୍ତି ପିଲାଙ୍କ ଭୋକ ମେଣ୍ଟାଇବା ପାଇଁ ସାଙ୍ଗରେ ଧରି ଆସିଥିଲେ ଖାଦ୍ୟ ପୁଡିଆ । ଯାହା ଏମାନଙ୍କର ନିତିଦିନିଆ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । କାରଣ ବିଶ୍ୱକୁ କ୍ଷୁଧାମୁକ୍ତ କରିବାକୁ ଏମାନେ କରିଛନ୍ତି ପଣ । ଆଉ ସେଥିପାଇଁ ତ ଭୋକ ପାଖରେ ପହଁଚୁଛନ୍ତି ଏହି ଲୋକ ।

କ୍ଷୁଧାମୁକ୍ତ ଭାରତ ପାଇଁ ସରକାରଙ୍କ କେତେ କଣ ଯୋଜନା । ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ଟଙ୍କିଙ୍କିଆ ଚାଉଳ ଯୋଜନା ଏପରିକି ୫ ଟଙ୍କିଆ ଆହାର ଯୋଜନା ଏପରି କେତେ କଣ । କିନ୍ତୁ ଏହାପରେ ମଧ୍ୟ ଶହ ଶହ ଭୋକିଲା ଲୋକ ଉପାସରେ ଶୋଉଛନ୍ତି । ଆଉ ଦିନ କେଇଟା ପରେ ପାଳନ କରାଯିବ ସ୍ୱାଧୀନତା ଦିବସ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ସରକାରଙ୍କର ସଫଳତାର ଗାଥା ବଖାଣିବେ । ମୋଦି ୧୨୦ କୋଟି ଲୋକ ଓ ନବୀନ ସାଢେ ଚାରିକୋଟି ଲୋକଙ୍କ କଥା କହିବେ । କିନ୍ତୁ ଏହି ଭାଷଣ ଭୋକିଲା ମଣିଷର ପେଟ ପୂରାଇବାକୁ ସମର୍ଥ ହେବ ନାହିଁ । ଆଉ ଏସବୁ ଭିତରେ ଭୋକିଲା ଲୋକ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ କରିଛି ରବୀନ ହୁଡ ଆର୍ମି । ତେବେ କିଏ ଏହି ରବୀନ ହୁଡ ଆର୍ମି? କଣ ଏମାନଙ୍କର ଉଦ୍ଦେଶ୍ୟ ।

ରବୀନ ହୁଡ ଆର୍ମି । ବିଶ୍ୱର କୋଣ ଅନୁକୋଣରେ ରହିଛନ୍ତି ଏହି ଗ୍ରୁପର ସଦସ୍ୟ । ଭୋକିଲା ମଣିଷକୁ ପେଟ ପୂରା ଖାଇବାକୁ ଦେଇ ଏମାନେ ପାଇଥାନ୍ତି ଅଫୁରନ୍ତ ଆନନ୍ଦ । କିଏ ପାଠ ପଢୁଛି ତ ଆଉ କିଏ କର୍ପୋରେଟ ସଂସ୍ଥାରେ ଚାକରି କରିଛି । ୨୦ରୁ ୨୫ ଜଣ ଯୁବଗୋଷ୍ଠୀ ଓ କର୍ମଜୀବୀ ମହିଳା ଏକାଠି ହୋଇ ଭୁବନେଶ୍ୱରରେ ଗଠନ କରିଛନ୍ତି ରବୀନ ହୁଡ ଆର୍ମି ଗ୍ରୁପ । ରବିବାର ହେବା କ୍ଷଣି ରାଜଧାନୀର କୌଣସି ଏକ ସ୍ଥାନରେ ଏକାଠି ହୋଇଯାଆନ୍ତି ଏମାନେ । ବିଭିନ୍ନ ହୋଟେଲ ତଥା ବିବାହ ଭୋଜିର ରହି ଯାଉଥିବା ଖାଦ୍ୟକୁ ଆଣି ବସ୍ତି ଓ ରାସ୍ତାକଡରେ ରହୁଥିବା ଭୋକିଲା ଲୋକଙ୍କ ପାଖରେ ପହଞ୍ଚି ଯାଇଥାନ୍ତି ଏହି ଗ୍ରୁପର ସିପାହୀ । ଏହାଦ୍ୱାରା ଭୋକିଲା ଲୋକର ଭୋକ ମେଣ୍ଟିବା ସହ ଖାଦ୍ୟ ନଷ୍ଟ ହେବାରୁ ମଧ୍ୟ ବଞ୍ଚିତ ହେଉଛି ।

କେବଳ ରବୀନ ହୁଡ ଆର୍ମି ନୁହେଁ ଆଜିକାଲି ଶହ ଶହ ଯୁବପିଢୀ ଏକାଠି ହୋଇଛନ୍ତି ଭୋକିଲାଙ୍କ ମୁହଁରେ ହସ ଫୁଟାଇବାକୁ । ଆଉ ଯୁବଗୋଷ୍ଠୀ ମାନଙ୍କର ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଂଶସାଯୋଗ୍ୟ । ତେବେ ଭୋକିଲା ଲୋକଙ୍କ କାହାଣୀ ଦେଖାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଆପଣ ମଧ୍ୟ ଚାହିଁଲେ ରବୀନ ହୁଡ ଆର୍ମୀ ଭଳି ଗ୍ରୁପ ଗଠନ କରିପାରିବେ । ଆଉ ଆପଣଙ୍କ ଏହି ଛୋଟିଆ ପ୍ରୟାସ ପରେ ହୁଏତ ଆପଣଙ୍କ ଅଞ୍ଚଳରେ ଆଉ କେହି ଭୋକିଲା ରହିବେ ନାହିଁ ।