ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ସେପ୍ଟେମ୍ବର ୨୨ରେ ଝାରସୁଗୁଡା ବିମାନ ବନ୍ଦରର କରିବେ ଉଦଘାଟନ

42

କନକ ବ୍ୟୁରୋ : ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୨୨ରେ ଝାରସୁଗୁଡା ବିମାନ ବନ୍ଦରର ଉଦଘାଟନ କରିବେ । ବିମାନବନ୍ଦରରେ ସମୀକ୍ଷା କରିବା ପରେ ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମୋଦିଙ୍କ ଗସ୍ତ ପାଇଁ ସଜେଇ ହେଉଛି ଝାରସୁଗୁଡା । ଝାରସୁଗୁଡା ବିମାନବନ୍ଦରକୁ ପୂର୍ବରୁ ୨ବି ଓ ପରେ ୪ସି ଲାଇସେନ୍ସ ମିଳିସାରିଛି । ଏୟାର ବସ୍ ୩୨୦ ପାଇଁ ଭିତିଭୂମି, ସୁରକ୍ଷା, ନିରାପତା, ସେବା ସୁବିଧା ଦୃଷ୍ଟିରୁ ଝାରସୁଗୁଡା ବିମାନବନ୍ଦରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛ ବୋଲି ସୂଚନା ମିଳିଛି । ତେବେ ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ । ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ସମୟରେ ଏହି ବିମାନ ବନ୍ଦର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

 

ଜୁଏଲ ଓରାମଙ୍କ ସହ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା, ଏୟାର୍ପୋର୍ଟର ନିର୍ଦେଶକ ଏସ୍. କେ. ଚୌହାନ୍ ଓ ଏୟାର୍ ଓଡ଼ିଶାର ଅଧିକାରୀମାନେ ମଧ୍ୟ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି। ଏହାସହ ସେପ୍ଟେମ୍ବର ୨୨ ତାରିଖରୁ ଝାରସୁଗୁଡାରୁ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବ। ବିମାନ ବନ୍ଦର ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ସରଡ଼େଗା-ଝାରସୁଗୁଡ଼ା ରେଳପଥ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ପାଇଁ ଆୟୋଜନ କରାଯାଇଥିବା ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି ।