ଏକଜିଟ୍ ପୋଲ୍ ରିପୋର୍ଟ ଆସିବା ପରେ ଷ୍ଟକ୍ ବଜାରରେ ହଲଚଲ । ସ୍ଥିର ସରକାରର ସଂକେତ ପରେ ଉଛୁଳିଲା ବଜାର, ଗୋଟିଏ ଦିନରେ ମାଲାମାଲ୍ ହେଲେ ନିବେଶକ ।

278

କନକ ବ୍ୟୁରୋ : ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ବେକ୍ଷଣ ସଂସ୍ଥା ଏକଜିଟ୍ ପୋଲ କରୁଛନ୍ତି ଏବଂ କିଏ କେତେ ଆସନ ପାଇବ, ସେନେଇ ସଙ୍କେତ ଦେଉଛନ୍ତି । କିନ୍ତୁ ଏହାର ପ୍ରଭାବ ଆଉ କେଉଁ ସ୍ଥାନରେ ପଡୁଛି, ତାହା ବୋଧହୁଏ ଆପଣ ଚିନ୍ତା କରିନଥିବେ । ରବିବାର ଦିନର ଏହି ଏକଜିଟ୍ ପୋଲ ଆଜି ଗୋଟିଏ ଦିନରେ ନିବେଶକଙ୍କୁ ମାଲାମାଲ କରିଦେଇଛି । ଉଭୟ ସେନସେକ୍ସ ଓ ନିଫ୍ଟି ଆଜି ସତେ ଯେମିତି ଆକାଶ ଛୁଇଁଥିଲା । ପ୍ରାୟ ୫ ଲକ୍ଷ ୩୩ ହଜାର କୋଟି ଆଜି ନିବେଶକଙ୍କ ଖାତାକୁ ଯାଇଛି । ୩ଶହ ଆସନ ସହ ମୋଦି ସରକାର ପୁଣିଥରେ ଆସୁଥିବାର ଖବର, ଷ୍ଟକ୍ ମାର୍କେଟରେ ଏହି ଉତ୍ସାହ ଆଣିଦେଇଛି । ଗତକାଲି ନିର୍ବାଚନ ସରିଥିବା ବେଳେ ସଂଧ୍ୟାରେ ଆସିଥିବା ଏକଜିଟ୍ ପୋଲର ଫଳାଫଳ ସହ ଆଜି ଉଭୟ ସେନସେକ୍ସ ଓ ନିଫ୍ଟିରେ ବଡ ଧରଣର ଉନ୍ନତି ଦେଖିବାକୁ ମିଳିଛି । କେନ୍ଦ୍ରରେ ପୁଣି ଥରେ ଏନଡିଏ ସରକାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ଆସୁଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା କୁହାଯାଉଛି ।

ଏକଜିଟ୍ ପୋଲର ସବୁଠୁ ବଡ଼ ପ୍ରଭାବ । ମାଲାମାଲ ହେଲେ ନିବେଶକ । ନିବେଶକଙ୍କ ଖାତାକୁ ଆସିଲା ୫ଲକ୍ଷ ୩୩ ହଜାର କୋଟି । ୨୦୧୯ରେ କିଏ ସରକାର ଗଢିବ, ସେ ନେଇ ଏକଜିଟ୍ ପୋଲ୍ ସଂକେତ ଦେଲା । ଆଉ ଜଣାପଡ଼ିଲା ମୋଦି ସରକାର ପୁଣିଥିରେ କ୍ଷମତାକୁ ଫେରୁଛି । ଏହି ଖବର ରାଜନୈତିକ ଦଳ, କର୍ମୀ, ଓ ସାଧାରଣ ଜନତାଙ୍କ ଉତ୍କଣ୍ଠା ଯେତିକି ବଢ଼ାଇଛି, ତା’ଠାରୁ ଢ଼େର ଅଧିକ ପ୍ରଭାବ ପକାଇଛି ଷ୍ଟକ୍ ମାର୍କେଟ ଉପରେ । ଷ୍ଟକ୍ ମାର୍କେଟରେ ଟଙ୍କା ଲଗାଇଥିବା ଲୋକେ ଗୋଟିଏ ଦିନରେ ମାଲାମାଲ ହୋଇ ଯାଇଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଦିନରେ ୫ ଲକ୍ଷ ୩୩ ହଜାର କୋଟି ନିବେଶକଙ୍କ ଖାତାକୁ ଯାଇଛି ।

ଏକଜିଟ୍ ପୋଲ ଅନୁସାରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ପ୍ରାୟ ୩୦୦ ଆସନରୁ ଅଧିକ ମିଳୁଥିବା ଆକଳନ କରାଯାଇଛି । ଫଳରେ ଏକ ସ୍ଥିର ସରକାର ଆସିବାର ସମ୍ଭାବନା ଦୃଷ୍ଟିରୁ ସେୟାର ବଜାରରେ ଏଭଳି ପଏଂଟସ ବଢିଥିବା କୁହାଯାଉଛି । ସୋମବାର ଦିନ ବମ୍ବେ ଷ୍ଟକ ଏକ୍ସଚେଂଜରେ ସେୟାର ୧୪୦୦ରୁ ଅଧିକ ପଏଂଟ ବଢି ଯାଇଥିଲା । ସେପଟେ ଜାତୀୟ ଷ୍ଟକ ଏକ୍ସଚେଂଜ ନିଫ୍ଟିରେ ମଧ୍ୟ ୪୦୦ରୁ ଅଧିକ ପଏଂଟ ବଢିଯାଇଛି । କେତେକ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆସନ୍ତା ୨୩ ତାରିଖ ଭୋଟ ଗଣତି ହେଉଛି ଏବଂ ଗଣତିର ଚୂଡାନ୍ତ ଫଳାଫଳ ଆସିବା ଯାଏଁ ସେୟାର ବଜାରର ସ୍ଥିତି ବେଶ ଭଲ ରହିବ ।

ବମ୍ବେ ଷ୍ଟକ୍ ଏକ୍ସଚେଂଜରେ ପ୍ରାୟ ୪୦ଟି କମ୍ପାନୀର ସେୟାର ବର୍ଷକ ମଧ୍ୟରେ ସବୁଠୁ ଉଚ୍ଚସ୍ତରକୁ ଛୁଇଁଛି । ଶନିବାର ୩୭,୯୩୦.୭୭ରେ ବନ୍ଦ ହୋଇଥିବା ସେନସେକ୍ସ ଆଜି ସର୍ବାଧିକ ୩୯,୩୮୯.୫୦ ପଏଂଟରେ ପହଂଚିଥିଲା । ସେହିପରି ନିଫ୍ଟି ୧୧,୪୦୭.୧୫ ବନ୍ଦ ହୋଇଥିବା ବେଳେ ଆଜି ସର୍ବାଧିକ ୧୧,୮୩୭.୨୫ ଯାଏଁ ପହଂଚିଥିଲା । ବଜାର ସ୍ଥିତିରେ ଉନ୍ନତି ଆସିଥିବାରୁ ଡଲାର ତୁଳନା ଟଙ୍କାର ସ୍ଥିତିରେ ୭୯ ପଇସାର ସୁଧାର ଆସିଛି ଏବଂ ଆଜି ଡଲାରର ମୂଲ୍ୟ ୬୯.୪୪ ଟଙ୍କା ରହିଛି ।