ବଜେଟ୍ ପରେ ଝଟକା ଦେଉଛି ସେନସେକ୍ସ ! ଦୁଇ ଦିନରେ ୧୧୫୦ ପଏଣ୍ଟ୍ ହ୍ରାସ, ନିବେଶକ ହରାଇଲେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି

37

କନକ ବ୍ୟୁରୋ : ବଜେଟ୍ ପରେ ବମ୍ବେ ଷ୍ଟକ ବଜାରର ସେନସେକ୍ସରେ ଆରମ୍ଭ ହୋଇଥିବା ହ୍ରାସର ଧାରା ଜାରି ରହିଛି । ଗତକାଲି ସେନସେକ୍ସ ୩୧୦ ପଏଣ୍ଟ୍ ହ୍ରାସ ପାଇ ୩୪, ୭୫୭ ପଏଣ୍ଟରେ ବନ୍ଦ ହୋଇଛି । ଗତ ଶୁକ୍ରବାର ଓ ଗତକାଲି ଦୁଇ ଦିନରେ ସେନସେକ୍ସରେ ୧୧୫୦ ପଏଣ୍ଟ ହ୍ରାସ ପାଇବା ସହିତ ନିବେଶକମାନେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହରାଇଛି । ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ଆଜି ୯୪ ପଏଣ୍ଟ୍ ହ୍ରାସ ପାଇ ୧୦,୬୬୭ ପଏଣ୍ଟରେ ବନ୍ଦ ହୋଇଛି । ବଜେଟରେ ଘୋଷଣା କରାଯାଇଥିବା ଦୀର୍ଘମିଆଦୀ ପୁଞ୍ଜି ଲାଭ (ଏଲଟିସିଜି) ଟିକସକୁ ନେଇ ନିବେଶକମାନେ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଭିନ୍ନ କଂପାନିର ସେୟାର ବିକ୍ରି କରିଦେଉଛନ୍ତି ।

ଏହାର ପ୍ରଭାବରେ ସେନସେକ୍ସ ହ୍ରାସ ପାଉଛନ୍ତି । କିନ୍ତୁ ସେନସେକ୍ସରେ ଦେଖାଦେଇଥିବା ହ୍ରାସ ଏଲ୍ଟିସିଜି ଟିକସ ଯୋଗୁ ନୁହେଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱରେ ଅନ୍ୟ ପୁଞ୍ଜି ବଜାର ହ୍ରାସ ପାଉଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି । ସେହିଭଳି ଅର୍ଥ ସଚିବ ହସମୁଖ ଅଧିଆ ମଧ୍ୟ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଷ୍ଟକ ବଜାରରେ ହେଉଥିବା କାରବାର ପ୍ରଭାବରେ ଭାରତୀୟ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଛି । ସେନସେକ୍ସରେ ଦେଖାଦେଇଥିବା ହ୍ରାସର କୌଣସି ସମ୍ପର୍କ ଏଲଟିସିଜି ଟିକସ ସହିତ ନାହିଁ ବୋଲି ସେ କହିଛନ୍ତି । ତେବେ କିଛି ଦିନ ଭିତରେ ବଜାରରେ ସ୍ଥିରତା ଫେରି ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷର ‘ଆଉଟକମ୍ ବଜେଟ୍’କୁ ଚଳିତ ସପ୍ତାହରେ ଉପସ୍ଥାପନ କରିବେ । ଗତ ବଜେଟ୍ରେ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ ଏବଂ ସ୍କିମ୍ ପାଇଁ ଯେଉଁ ଅର୍ଥ ଆବଣ୍ଟନ କରାଯାଇଥିଲା ତାହାର କିଭଳି ବିନିଯୋଗ ହୋଇଛି ଏବଂ ସେଥିରୁ କ’ଣ ଫଳାଫଳ ମିଳିଛି ତାହା ଆଉଟକମ ବଜେଟରେ ସ୍ଥାନ ପାଇବ । ଖର୍ଚରେ ଶୃଙ୍ଖଳା ହାସଲ କରିବା ପାଇଁ ଏହା ଜାରି କରାଯାଉଛି । ଆଉଟକମ୍ବଜେଟ୍ ହେଉଛି ପୂର୍ବ ବର୍ଷ ବଜେଟ୍ରେ ଆବଣ୍ଟନ କରାଯାଇଥିବା ପାଣ୍ଠି ବିନିଯୋଗର ଏକ ପ୍ରଗତି ପତ୍ର । ବିଶେଷ କରି କେନ୍ଦ୍ର ପ୍ରାୟୋଜିତ ସ୍କିମ୍, କେନ୍ଦ୍ର ଦ୍ୱାରା ଆଂଶିକ ପାଣ୍ଠି ପ୍ରଦାନ କରାଯାଉଥିବା ସ୍କିମ୍, ଋଣ ଓ ବିଭିନ୍ନ ବଡ଼ ସ୍କିମ୍ ଏବଂ କାର୍ୟ୍ୟକ୍ରମର ପ୍ରଦର୍ଶନକୁ ଆଉଟକମ୍ ବଜେଟରେ ସ୍ଥାନ ଦିଆଯାଇଥାଏ ।