ମଙ୍ଗଳବାର ସକାଳୁ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜରେ ହାହାକାର! ତିନିଦିନରେ ଷ୍ଟକ ବଜାରରୁ ଉଭେଇଗଲା ୯ ଲକ୍ଷ କୋଟି

33

କନକ ବ୍ୟୁରୋ : ବଜେଟ୍ ଘୋଷଣା ପରେ ପରେ ଭାରତର ସେୟାର ବଜାରରେ ହଇଚଇ ଖେଳିଯାଇଥିଲା । ଶ୍ରୁକବାର ଦିନ ୫ ଲକ୍ଷ କୋଟି ହରାଇଥିଲେ ନିବେଶକ । ସୋମବାର ଦିନ ମଧ୍ୟ ମାଡ଼ ଖାଇଥିଲା ଷ୍ଟକ୍ ମାର୍କେଟ୍ । ତେବେ ଆଜି ସକାଳ ସକାଳୁ ମୁମ୍ବାଇ ଷ୍ଟକ ଏକସଚେଂଜରେ ଯାହା ହୋଇଥିଲା, ତାହା ନିବେଶକଙ୍କ ହୋସ୍ ଉଡାଇ ଦେଇଥିଲା । ଚାହୁଁ ଚାହୁଁ ସେୟାର ବଜାରରୁ ଉଭେଇ ଯାଇଥିଲା ସାଢ଼େ ୫ ଲକ୍ଷ କୋଟି । ତେବେ କାରବାର ଶେଷ ବେଳକୁ ଏଥିରେ କିଛିଟା ସୁଧାର ଆସିଥିଲା । ଏଥିପାଇଁ ବିଶ୍ୱ ପୁଂଜି ବଜାରରେ ସୃଷ୍ଟି ହୋଇଥିବା ସଂକଟକୁ ଦାୟୀ କରୁଛନ୍ତି କିଛି ବିଶେଷଜ୍ଞ । ସେୟାର ବଜାରରେ ଚଡ଼କ ପଡିଥିବା ବେଳେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

stock marketଦୁଇ ଦିନର ମାଡ଼ ପରେ ମଙ୍ଗଳବାର ଉପରେ ଥିଲା ସାରା ଦେଶର ନିବେଶକଙ୍କ ଆଖି । ଆଶା ଆଶଙ୍କା ଭିତରେ ଆରମ୍ଭ ହୋଇଥିଲା ମୁମ୍ବାଇ ଦଲାଲ୍ ଷ୍ଟ୍ରିଟରେ କାରବାର । ହେଲେ ମାତ୍ର କେତେ ମିନିଟ୍ ଭିତରେ ଯାହା ହୋଇଥିଲା, ନିବେଶକମାନଙ୍କ ଛାତିର ହୃତସ୍ପନ୍ଦନ ବଢିଯାଇଥିଲା । ଚାହୁଁ ଚାହୁଁ ବଜାରରୁ ଅଦୃଶ୍ୟ ହୋଇଗଲା ପାଖାପାଖି ୫ ଲକ୍ଷ ୫୦ ହଜାର କୋଟି । ଅନେକ କଂପାନୀ ଓ ନିବେଶକଙ୍କ ମୁଣ୍ଡରେ ଚଡ଼କ ପଡି ଯାଇଥିଲା । ସେନସେକସ ସୂଚକାଙ୍କରେ ହ୍ରାସ ପାଇଥିଲା ୧୨୭୫ ପଏଂଟ୍ । ତିନି ଦିନ ମଧ୍ୟରେ ପ୍ରାୟ ୯ ଲକ୍ଷ ୬୦ ହଜାର ଲକ୍ଷ କୋଟି ଟଙ୍କା ହରାଇଥିଲେ ନିବେଶକ । ତେବେ ଧୀରେ ଧୀରେ ବଜାରରେ କିଛିଟା ସୁଧାର ଦେଖାଦେଇଥିଲା । ତେବେ କ୍ଲୋଜିଂ ବେଲ୍ ବାଜିବା ବେଳକୁ ୫୬୧ ପଏଂଟ୍ ହ୍ରାସ ପାଇ ସେନସେକସ ସୂଚକାଙ୍କ ୩୪ ହଜାର ୧୯୫ରେ ପହଁଚିଥିଲା । ସେହିପରି ନିଫଟି ୧୬୮ ପଏଂଟ୍ ହ୍ରାସ ପାଇ ୧୦ ହଜାର ୪୯୮ରେ ବନ୍ଦ ହୋଇଥିଲା ।

ବଜାରରେ ଏଭଳି ସ୍ଥିତି ବଜେଟ୍ ଉପସ୍ଥାପନ ପରେ ହୋଇଥିବାରୁ ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ୧୦ ପ୍ରତିଶତ ଟିକସ ଏବଂ ବିତୀୟ ନିଅଂଟ, ଘରୋଇ ଉତ୍ପାଦର ୩.୫ ପ୍ରତିଶତ ଆକଳନ ଯୋଗୁଁ ଏପରି ପ୍ରଭାବ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ତେବେ ଆମେରିକା ସମେତ ବିଶ୍ୱର ବଡ଼ ବଡ଼ ପୁଞ୍ଜିବଜାରରେ ସଂକଟ ଦେଖା ଦେଇଥିବାରୁ ଏପରି ସ୍ଥିତି ହୋଇଥିବା କହୁଛନ୍ତି ବିଶେଷଜ୍ଞ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଗତକାଲି କହିଥିଲେ, ‘ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ୧୦ ପ୍ରତିଶତ ଟିକସ ଯୋଗୁଁ ସେୟାର ବଜାରରେ ଝଡ଼ ସୃଷ୍ଟି ହୋଇନାହିଁ । ବିଶ୍ୱବଜାରର ପ୍ରଭାବ ପଡିଛି ଭାରତୀୟ ସେୟାର ବଜାର ଉପରେ ।’ ସେହିପରି ଅର୍ଥ ସଚିବ ହସମୁଖ ଆଧିଆ କହିଛନ୍ତି, “ସେୟାର ବଜାରରେ ହ୍ରାସ ସହ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସର କିଛି ସଂପର୍କ ନାହିଁ ।”

ଗୋଟିଏ ପଟେ ଷ୍ଟକ୍ ମାର୍କେଟର ସୂଚକାଙ୍କ ତଳକୁ ଖସୁଥିବା ବେଳେ ସୁନା ଦରବୃଦ୍ଧି ପାଇବାରେ ଲାଗିଛି । ୧୪ ମାସରେ ସର୍ବାଧିକ ସ୍ତର ଛୁଇଁଛି ସୁନା ଦର । ପ୍ରତି ୧୦ ଗ୍ରାମରେ ୩୩୦ ଟଙ୍କା ବୃଦ୍ଧି ପାଇ ୩୧ ହଜାର ୬୦୦ ଟଙ୍କାରେ ପହଁଚିଛି ସୁନା । ସେହିପରି ରୂପା କେଜି ପିଛା ୫୦୦ ଟଙ୍କା ବଢି ୪୦ ହଜାର ଟଙ୍କା ଛୁଇଁଛି । ଷ୍ଟକ୍ ମାର୍କେଟରେ ମୁହଁ ଫେରାଇ ନିବେଶକମାନେ ସୁନାରେ ନିବେଶ କରିବା ଏବଂ ଭାରତରେ ବିବାହ ଋତୁ ଯୋଗୁଁ ଚାହିଦା ବୃଦ୍ଧି ପାଇବାରୁ ଦରବୃଦ୍ଧି ଘଟିଥିବା ଅନୁମାନ କରାଯାଉଛି ।