ଦାମଙ୍କ ଦିଲ୍ଲୀ ଯାତ୍ରା । ବିଜେପି ନେତାଙ୍କ ସହ ହୋଇପାରେ ଗୋପନ ବୈଠକ, ଦଳରେ ମିଶିବା ନେଇ ଚର୍ଚ୍ଚା ।

1,189

କନକ ବ୍ୟୁରୋ: ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବା ପରେ ଏବେ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା । ବିଜେପିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଦାମ କିନ୍ତୁ ଖଣ୍ଡନ କରିନାହାନ୍ତି । ଇସାରା ଇସାରାରେ ଦାମ କହିଛନ୍ତି, କଂଗ୍ରେସ କିମ୍ବା ବିଜେପିରେ ସେ ଯୋଗ ଦେଇପାରନ୍ତି । ସେଥିପାଇଁ ପ୍ରସ୍ତାବ ଆସିଲେ, ସେ ବିଚାର କରିବେ । ଦାମ କହିଛନ୍ତି, ନବୀନଙ୍କ ବିରୋଧରେ ନୂଆ ଦଳ ଗଢ଼ିବା ପାଇଁ ସେ ଉଦ୍ୟମ କରିଥିଲେ । ତାହା ସମ୍ଭବ ହୋଇପାରିଲା ନାହିଁ । ତେଣୁ ଯେକୌଣସି ଦଳରେ ମିଶିବା ପାଇଁ ଇସାରା ଦେଇଛନ୍ତି ଦାମ ।

ସେପଟେ ଦାମଙ୍କ ଏଭଳି ପ୍ରତିକ୍ରିୟା ତାଙ୍କ ସମର୍ଥକଙ୍କୁ ଦ୍ୱନ୍ଦରେ ପାକାଇଛି । ତେବେ ବର୍ତ୍ତମାନ ଦାମ ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏବଂ ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଜେଡି ଦଳରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମ ରାଉତ ନବୀନଙ୍କ ବିରୋଧରେ ଆଗାମୀ ନିର୍ବାଚନ ପାଇଁ ହଲ୍ଲାବୋଲ ଦେଇଛନ୍ତି । ଶାସକ ବିଜେଡିକୁ ଆସନ୍ତା ନିର୍ବାଚନରେ ମାତ୍ ଦେବା ପାଇଁ ପ୍ରଥମେ ବୈଜୟନ୍ତ ଏବେ ଦାମଙ୍କୁ ଦଳରେ ମିଶାଇ ଏହାର ଫାଇଦା ନେବାକୁ ଦିଲ୍ଲୀ ଦରବାରରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି ବୋଲି ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେପିରେ ଦାମଙ୍କ ଯୋଗଦେବା ନେଇ ଚର୍ଚ୍ଚା ରାଜ୍ୟ ରାଜନୀତିର ପାରଦକୁ ଉଷ୍ମ କରିଛି । ଗତ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ଶାସକ ବିଜେଡି ସାମ୍ନାରେ ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଏଥର ବିଜୟ ତିଳକ ପିନ୍ଧିବାକୁ ଭରପୁର ଉଦ୍ୟମ ଜାରି ରଖିଛି । ତେଣୁ ବିଜେଡି ସାମ୍ନାରେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଥିବା ଗୋଟିଏ ପରେ ଗୋଟିଏ ଅସନ୍ତୁଷ୍ଟିଆ ନେତାଙ୍କୁ ପଦ୍ମ ଧରାଇବାକୁ ରଣନୀତି କରୁଛି ବିଜେପି । ଯଦି ଚର୍ଚ୍ଚା ମୁତାବକ ଦାମ ପଦ୍ମ ପୋଖରୀରେ ବୁଡ଼ ଦିଅନ୍ତି ତେବେ ଆଗାମୀ ସାଧାରଣ ନିର୍ବାଚନୀ ମୈଦାନରେ ହାଇଭୋଲଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।