ନୂଆ ପୁଲିସ କମିସନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ। ଦୈତନଗରୀରେ ଅପରାଧ ନିୟନ୍ତ୍ରଣ କରିବା ରହିବ ବଡ ଚ୍ୟାଲେଂଜ

ସତ୍ୟଜିତ ମହାନ୍ତି କହିଲେ, ନିର୍ବାଚନ ଓ ଫନି ସମୟରେ ଚ୍ୟାଲେଜିଂ ଥିଲା କାର୍ଯ୍ୟକାଳ

258

କନକ ବ୍ୟୁରୋ: ନୂଆ ପୁଲିସ କମିସନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ । ସତ୍ୟଜିତ ମହାନ୍ତିଙ୍କ ଜାଗାରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁଧାଂଶୁ ଷଡଙ୍ଗୀ । ଟୁଇନସିଟିରେ ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ଅପରାଧ ନିୟନ୍ତ୍ରଣ କରିବା ତାଙ୍କ ପାଇଁ ଚ୍ୟାଲେଂଜ ରହିବ । ଦିନକୁ ଦିନ ଦୈତନଗରୀରେ ବୃଦ୍ଧି ପାଉଥିବା ଅପରାଧ ଉପରେ ଯଦିଓ ପୁଲିସ କିଛିଟା ମାତ୍ରାରେ ନିୟନ୍ତ୍ରଣ ଆଣିବାରେ ସଫଳ ହୋଇଛି ତେବେ ଏବେ ବି ଅପରାଧୀଙ୍କ ଆତଙ୍କୀରାଜ୍ ଥପିବାର ନାଁ ଧରୁନାହିଁ । ପୁଲିସ୍ ପକ୍ଷରୁ ଯେତେ କଡାକଡି କରାଗଲେ ସୁଦ୍ଧା ଅପରାଧିଙ୍କ ଦୌରାତ୍ମ୍ୟ କମିବା ବଦଳରେ ବଢି ଚାଲିଛି । ଚୋରିଠାରୁ ଆରମ୍ଭ କରି ହତ୍ୟା ଭଳି ଜଂଘଣ୍ୟ ଅପରାଧ ଟ୍ୱିନସିଟିରେ ଘଟିଚାଲିଛି । ଯାହାକି ବର୍ତ୍ତମାନ ନୂଆ ପୁଲିସ୍ କମିଶନରଙ୍କ ପାଇଁ ମୁଖ୍ୟ ଚ୍ୟାଲେଂଜ ରହିବ ।

ତେବେ ୧୯୯୦ ବ୍ୟାଚର ଆଇପିଏସ କ୍ୟାଡର ହେଉଛନ୍ତି ସୁଧାଂଶୁ ଷଡଙ୍ଗୀ । ନବନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୁଚାରୁରୂପେ ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି। ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଥିଲେ ସୁଧାଂଶୁ । ସେ ବ୍ରହ୍ମପୁର, ମାଲକାନଗିରି, ସୁନ୍ଦରଗଡ, ବାଲେଶ୍ୱର ଏବଂ କେନ୍ଦୁଝର ଏସପି ଭାବେ କାମ କରିଛନ୍ତି । ଏହା ସହ ସେ ଆଇଜି ଅପରେସନ, ସିଏମଡି ଓଡିଶା ପୁଲିସ ହାଉସିଂ କର୍ପୋରେସନ ଏବଂ କେନ୍ଦ୍ର ସରକାରଙ୍କ ଅଧିନରେ ଡେପୁଟେସନରେ ବି ଯାଇଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ସହ ପୁଲିସ ମେଡାଲ ପାଇଛନ୍ତି ।

ଖାଲି ଏତିକି ନୁହେଁ ସୁଧାଂଶୁଙ୍କ ଜନ୍ମ ଢେଙ୍କାନାଳରେ । ଗାଁ ସ୍କୁଲରୁ ପାଠପଢ଼ି ଉଚ୍ଚଶିକ୍ଷା ପାଇଁ ସେ ବ୍ରିଟେନ୍ ଯାଇଥିଲେ। ଲିଭରପୁଲ୍ ବିଶ୍ୱବିଦ୍ୟାଳୟରେ ଇନଭେଷ୍ଟିଗେଟିଭ ସାଇକୋଲୋଜିରେ ଏମ୍ଏସ୍ସି ଏବଂ ପିଏଚ୍ଡି କରିଥିଲେ। ଛୋଟବେଳରୁ ସେ ଲେଖାଲେଖି କରିବାକୁ ରୁଚି ରଖିଥିଲେ। ଚାକିରିର ବ୍ୟସ୍ତ ଜୀବନରୁ ସମୟ ବାହାର କରି ସେ ଲେଖାଲେଖି କରନ୍ତି। ଏପରି କି ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଲେଖା ପ୍ରକାଶ ପାଇଛି ।

ତେବେ ଦାୟିତ୍ୱ ଗ୍ରହଣ କଲା ପରେ ସୁଧାଂଶୁ ଷଡଙ୍ଗୀ କହିଛନ୍ତି, କଟକ-ଭୁବନେଶ୍ୱରରେ ଯେମିତି ଲୋକେ ଆରାମରେ ରହିପାରିବେ ସେଥିପାଇଁ ପଦକ୍ଷେପ ନିଆଯିବ । ଟୁଇନସିଟିରେ ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ଅପରାଧ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସୁଧାଂଶୁ ଷଡଙ୍ଗୀ । ସହରବାସୀଙ୍କ ମଧ୍ୟରେ ସୁରକ୍ଷାର ବାତାବରଣ ପାଇଁ ଉଦ୍ୟମ କରିବେ ଓ ଟ୍ରାଫିକ ନିୟନ୍ତ୍ରଣ ଏକ ଚ୍ୟାଲେଂଜ ହେବ ବୋଲି କହିଛନ୍ତି ସୁଧାଂଶୁ ଷଡଙ୍ଗୀ । ନୂଆ ଟେକ୍ନାଲୋଜିର ସୁଫଳ ସାଧାରଣ ଜନତାଙ୍କୁ ମିଳିବା ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି ।

ସେପଟେ ବିଦାୟୀ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ତାଙ୍କ ପାଇଁ ଏହି ଦାୟିତ୍ୱ ବହୁତ ଚ୍ୟାଲେଞ୍ଜିଂ ଥିଲା । ତାଙ୍କ ସମୟରେ ସଫଳ ଭାବେ ୩ଟି ବିଶ୍ୱସ୍ତରୀୟ ଇଂଭେଟ ଆୟୋଜନ କରାଯାଇଛି । ଅପରାଧ ନିୟନ୍ତ୍ରଣ ତାଙ୍କ ପାଇଁ ଚ୍ୟାଲେଞ୍ଜି ଥିଲା । ତେବେ ବଡ ବଡ ଅପରାଧକୁ ଚିହ୍ନଟ କରାଯାଇପାରିଛି । ଆଉ ଅଧିକ ଭଲ କରିବାକୁ ଭିତ୍ତିଭୂମିର ଆବଶ୍ୟକତା ରହିଛି ।