ଶେଷ ପର୍ଯ୍ୟାୟରେ ଭୋଟ୍ ଦେଉଛନ୍ତି ହେଭିୱେଟ୍: ପାଟନାରେ ଧାଡିରେ ଠିଆ ହୋଇ ମତଦାନ କଲେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି

ଜଳନ୍ଧରରେ ଭୋଟ୍ ଦେଲେ ହରଭଜନ ସିଂ;ବାରଣାସୀରେ ଭୋଟ୍ ଦେଲେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ

74

କନକ ବ୍ୟୁରୋ: ଆଜି ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କୁ ଦେଖିବାକୁ ମିଳିଛି ଭୋଟରଙ୍କ ଧାଡିରେ । ପାଟନା ସାହିବ ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ପାଟନାରେ ଭୋଟ୍ ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି । ପୋଲିଂ ବୁଥକୁ ଆସି ଭୋଟରଙ୍କ ଧାଡିରେ ଠିଆ ହୋଇ ସୁଶୀଲ ମୋଦି ମତଦାନ କରିଥିଲେ ।

ସେହିପରି ମତଦାନ କରିଛନ୍ତି ବାରଣାସୀର କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ । ଅଜୟ ରାୟ ସକାଳେ ପରିବାର ସହିତ ଆସି ମତଦାନ କରିଛନ୍ତି । ଚଳିତ ଥର ବାରଣାସୀରେ ତ୍ରିମୁଖୀ ଲଢେଇ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଓ ସମାଜବାଦୀ ପାର୍ଟିର ଶାଳିନୀ ଯାଦବଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଅଜୟ ରାୟ ।

ସେହିପରି ଜଳନ୍ଧରରେ ମତ ଅଧିକାର ସାବ୍ୟସ୍ତ କରିଛନ୍ତି କ୍ରିକେଟର ହରଭଜନ ସିଂ । ନିଜେ ଭୋଟ୍ ଦେବା ସହିତ ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବାକୁ ହରଭଜନ ଅପିଲ୍ ମଧ୍ୟ କରିଛନ୍ତି ।

ସେହିପରି ସକାଳେ ମିର୍ଜାପୁର ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ । ଭୋଟରଙ୍କ ଧାଡିରେ ଆସି ବେଶ୍ କିଛି ସମୟ ଅନୁପ୍ରିୟା ଅପେକ୍ଷା କରିଥିଲେ । ଏହା ପରେ ନିଜର ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ ଅନୁପ୍ରିୟା ପଟେଲ । ଚଳିତ ଥର ବିଜେପି ଟିକଟରେ ଅନୁପ୍ରିୟା ପଟେଲ ମିର୍ଜାପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ସେହପରି ଉତରପ୍ରଦେଶର ଗାଜିପୁର ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା । ସେପଟେ ମତଦାନ କରିଛନ୍ତି ସିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲ ।

ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ଦେଶର ୫୯ ଆସନରେ ସକାଳୁ ଭୋଟିଂ ହେଉଛି । ଆଜି ଉତରପ୍ରଦେଶର ୧୩, ପଂଜାବର ୧୩, ପଶ୍ଚିମବଙ୍ଗର ୯ ଆସନ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ୪ , ଝାଡଖଣ୍ଡର ୩ ଆସନ, ଚଣ୍ଡିିଗଡର ଗୋଟିଏ ଆସନରେ ମତଦାନ ହେଉଛି । ତେବେ ସାରାଦେଶର ନଜର ରହିଛି ପଶ୍ଚିମବଂଗ ଉପରେ ।

ଦମଦମ୍, ବରାସତ୍, ବସିରହାଟ୍, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତର କୋଲକାତା ଏହି ୯ ଆସନରେ ବିଜେପି ଓ ଟିଏମସି ମଧ୍ୟରେ କଡା ମତଦାନ ହେଉଛି । ଆଜ ମୋଟ ୧୦ ଦଶମିକ ୧ କୋଟି ଭୋଟର ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ । ବାରଣାସୀରେ ଆଜି ମତଦାନ ହେଉଛି । ବିହାରରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଏମାନେ ହେଲେ ରବିଶଙ୍କର ପ୍ରସାଦ, ରାମ କୃପାଳ ଯାଦବ, ଆରକେ ସିଂହ ଓ ଅଶ୍ୱିନୀ କୁମାର ଚୌବେ । ୟୁପିର ଗାଜିପୁର ଆସନରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।