ପାରାଦୀପ ପାଇଁ ଟିକେଟ୍ ପାଇଲେ ସମ୍ବିତ ରାଉତରାୟ । ବାପାଙ୍କ ସଫଳତାକୁ ଦୋହରାଇ ପାରିବେ କି ପୁଅ ?

307

କନକ ବ୍ୟୁରୋ: ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ମିଳିଲା ବିଜେଡି ଟିକେଟ୍ । ପାରାଦୀପରୁ ଲଢ଼ିବେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଏନେଇ ନବୀନ ନିବାସରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦୀର୍ଘ ଦିନ ଦାମଙ୍କ ପୁଅ ସମ୍ବିତଙ୍କୁ ଟିକେଟ୍ ମିଳିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଛେଦ ପକାଇ ସମ୍ବିତଙ୍କୁ ପାରାଦୀପ ମଙ୍ଗ ଧରାଇଛନ୍ତି ବିଜେଡି ସୁପ୍ରିମୋ ।

୨୦୦୯ରେ ଗଠିତ ହୋଇଥିବା ଏହି ବିଧାନସଭା କ୍ଷେତ୍ରରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନ ବିଜେପି ନେତା ଦାମଦୋର ରାଉତ ବିଗତ ଦୁଇଟି ସାଧାରଣ ନିର୍ବାଚନରେ ଏଠାରେ ବିଜୟ ହୋଇଥିଲେ । ତେବେ ଦାମ ବର୍ତ୍ତମାନ ବିଜେପି ଟିକେଟ ପାଇଁ ଏରସମା-ବାଲିକୁଦାରୁ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ବିଜେଡି ସୁପ୍ରିମୋ ଦାମଙ୍କ ପୁଅ ସମ୍ବିତଙ୍କୁ ପାରାଦୀପ ମଙ୍ଗ ଧରାଇଛନ୍ତି । ତେବେ ଏହି ନିର୍ବାଚନୀ କ୍ଷେତ୍ରକୁ ପ୍ରଥମଥର ପାଇଁ ଓହ୍ଲାଇ ବିଜୟଧାରା ବଜାୟ ରଖିବେ କି ଦାମଙ୍କ ପୁଅ ସମ୍ବିତ ରାଉତରାୟ? ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଆସନ୍ତା ୨୯ ତାରିଖରେ ରାଜ୍ୟରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ଦାମଙ୍କ ପୁଅ ସମ୍ବିତ ପ୍ରସ୍ତୁତି କରିଥିବାବେଳେ ବିଜେଡି ସୁପ୍ରିମୋ ତାଙ୍କ ହାତରେ ପାରାଦୀପ ଭାର ଦେଇଛନ୍ତି । ଏବେ ପାରାଦୀପ ଆସନରେ ନୂଆ ଲଢ଼େଇ ଦେଖିବାକୁ ମିଳିବ । କାରଣ ପ୍ରଥମଥର ପାଇଁ ପାରାଦୀପ ଆସନରେ ନୂଆ ମୁହଁ କିନ୍ତୁ ପୁରୁଖା ନେତାଙ୍କ ପୁଅ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଯାହା ରାଜ୍ୟ ରାଜନୀତିରେ ହଟ ଚମଟ ସୃଷ୍ଟି କରିଛି ।