ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ରୁଲିଂରେ ଅପଦସ୍ଥ ଆଇନଜୀବୀ ! ଓକିଲାତି ଛାଡିବାକୁ ଲେଖିଲେ ଚିଠି ।

28

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପାଇଁ ଓକିଲାତି ଛାଡିବେ ବରିଷ୍ଠ ଆଇନଜୀବୀ ରାଜୀବ ଧାୱନ । ଏନେଇ ସେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ଅଦାଲତରେ ଅପଦସ୍ଥ ହୋଇ ଓକିଲାତି ପେଶା ଛାଡିବା ପ୍ରଥମ ବୋଲି ଜଣାପଡିଛି । ସୁପ୍ରିମକୋର୍ଟରେ ଏକ ମାମଲା ଚାଲିଥିବା ବେଳେ ମାନ୍ୟବର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ରୁଲିଂରେ ଅପଦସ୍ଥ ହୋଇଥିବା ବରିଷ୍ଠ ଓକିଲ ରାଜୀବ ଧାଓ୍ଵନ ନିଜର ଏହି ଓକିଲାତି ପେସାରୁ ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସେ ବିଚାରପତି ଶ୍ରୀ ମିଶ୍ରଙ୍କୁ ଏକ ଚିଠି ଲେଖି ତାଙ୍କର ଏଭଳି ପେସା ଛାଡ଼ିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି।

ସୂଚନାନୁଯାୟୀ, ଗତ ୬ ତାରିଖରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠରେ ଚାଲିଥିଲା । ଏଥିରେ ଅନ୍ୟ ଓକିଲମାନଙ୍କ ସହ ରାଜୀବ ମଧ୍ୟ ଦିଲ୍ଲୀ ସରକାରଙ୍କ ପକ୍ଷ ରଖିଥିଲେ। ନିଜର ଯୁକ୍ତି ଲିଖିତ ଭାବେ ଜଣାଇବା ଲାଗି ଜଷ୍ଟିସ ଦୀପକ ମିଶ୍ରଙ୍କ ବାରମ୍ବାର ପରାମର୍ଶ ସତ୍ତ୍ୱେ ରାଜୀବ ତାହା ନକରି ମୌଖିକ ଭାବେ ଉତ୍ତର ରଖିବାକୁ ଚେଷ୍ଟା କରିଥିଲେ। ଏଥିରେ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହ ଆପଣ ଏପରି କହିଲେ କିଛି ଶୁଣାଯିବନି ବୋଲି ରାଜୀବଙ୍କୁ ତାଗିଦ କରିଥିଲେ।

ସେହିପରି ଏହାର ପୂର୍ବଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତରେ ଆଗତ ଅଯୋଧ୍ୟା ମାମଲାରେ ମଧ୍ୟ ରାଜୀବଙ୍କ ସମେତ ତିନି ଜଣ ଓକିଲ ଖଣ୍ଡପୀଠଙ୍କ ରାୟରେ ଅସନ୍ତୋଷ ବ୍ୟକ୍ତ କରି ପ୍ରତିବାଦରେ ଅଦାଲତ ଛାଡ଼ି ଚାଲିଯାଇଥିଲେ। ଏହି ଦୁଇଟି ଘଟଣାରେ ଜଡ଼ିତ ରାଜୀବଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପ୍ରଧାନ ବିଚାରପତି ଶ୍ରୀ ମିଶ୍ର କିଛି ବରିଷ୍ଠ ଓକିଲଙ୍କ ବ୍ୟବହାର ଅତି ନୃଶଂସ ବୋଲି କହିବା ସହ ସେମାନେ ବରିଷ୍ଠ ଓକିଲର ପରିଧାନ(ଗାଉନ) ଧାରଣ କରିବାକୁ ଯୋଗ୍ୟ ନୁହେଁ ବୋଲି ଟିପ୍ପଣୀ କରିଥିଲେ। ଜଷ୍ଟିସ ମିଶ୍ରଙ୍କ ମନ୍ତବ୍ୟରେ ରାଜୀବ ମର୍ମାହତ ହୋଇ ଆଜି ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି।