ବିଜେଡିର ସେଲଫି ବନାମ ବିଜେପିର ସେଲଫି । ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବାକୁ ସୋସିଆଲ ମିଡିଆ ଭରସା

122

କନକ ବ୍ୟୁରୋ : ବିଜେଡିର ସୋସିଆଲ ମିଡିଆ କ୍ୟାମ୍ପେନକୁ କାଉଣ୍ଟର କରିବାକୁ ବିଜେପିର ନୂଆ ଯୋଜନା । ଖାସକରି ବିଜେଡିର ସେଲଫି ୱିଥ୍ ନବୀନ କାର୍ଯ୍ୟକ୍ରମକୁ କାଉଣ୍ଟର କରି ବିଜେପି ଯୁବମୋର୍ଚ୍ଚା ଆରମ୍ଭ କରିଛି ସେଲଫି ୱିଥ୍ ଓଡିଆ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସବୁ ଓଡିଆ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବାକୁ ଯୋଜନା କରିଛି ବିଜେପିର ଯୁବମୋର୍ଚ୍ଚା ।

ସେଲଫି ୱିଥ ଓଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ସେଲଫି ଉଠାଇବେ । ଏହାସହ ସେମାନଙ୍କର ସମସ୍ୟା ସର୍ମ୍ପକରେ ବୁଝି ଫଟୋ ସହ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବେ । ଏହିଭଳି ଭାବେ ସୋସିଆଲ ମିଡିଆ ସାହାର୍ଯ୍ୟରେ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବାକୁ ଲକ୍ଷ୍ୟ ରଖିଛି ବିଜେପି ଯୁବମୋର୍ଚ୍ଚା ।

ବିଜେପି ଯୁବମୋର୍ଚ୍ଚାର ସେଲଫି ୱିଥ୍ ଓଡିଆ କାର୍ଯ୍ୟକ୍ରମ ପୂର୍ବରୁ ଗତକାଲି ସୋସିଆଲ ମିଡିଆ କ୍ୟାମ୍ପେନକୁ ଜୋରଦାର କରିବା ବିଜେଡି ଆରମ୍ଭ କରିଛି ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ । ଏହା ସହ ଆରମ୍ଭ ହୋଇଛି ମୋ ନବୀନ ମୋ ଘରେ କ୍ୟାମ୍ପେନ୍ । ଦଳୀୟ କାର୍ଯ୍ୟାଳୟରେ ବିଜେଡି ଆଇଟି ସେଲର ଲୋଗୋ ଉନ୍ମୋଚନ କରିବା ସହ ବିଜୁ ଛାତ୍ର ଜନତା ଦଳ କର୍ମକର୍ତାଙ୍କ ସହ ସେଲଫି ନେଇଛନ୍ତି ନବୀନ ।

ଲୋକଙ୍କ ସହ ନିକଟତର ହେବାକୁ ବିଜେଡି ଆରମ୍ଭ କରିଛି ଅଭିନବ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯେଉଁମାନେ ସେଲଫି ଉଠାବାକୁ ଚାହୁଁଥିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍ ଭର୍ସନ ବ୍ୟବସ୍ଥା କରିଛି ବିଜେଡି ଆଇଟି ସେଲ୍ । ଏହି କାର୍ଯ୍ୟକ୍ରମରେ ଘରେ ଘରେ ବୁଲିବେ ବିଜେଡି ଆଇଟି ସେଲ୍ କର୍ମକର୍ତା । ନବୀନଙ୍କ ସହ ଫଟୋ ଉଠାଇବାକୁ ଚାହିଁବେ, ସେମାନେ ଫଟୋ ଉଠାଇପାରିବେ । ଆଉ ସାଂଗେ ସାଂଗେ ତା’ର ଫଟୋ କପି ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଦିଆଯିବ । ସେହିପରି ସମସ୍ତ ଜିଲ୍ଲା ଦଳୀୟ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଛାତ୍ରଛାତ୍ରୀ, ବିଜେଡି କର୍ମୀ ଓ ଯେକୌଣସି ବ୍ୟକ୍ତି ଯାଇ ନବୀନଙ୍କ ସହ ସେଲଫି ନେଇପାରିବେ । ସେଠାରୁ ଫଟୋ କପି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ।

ଏସବୁ ଭିତରେ ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସିଛି, ପ୍ରତିଯୋଗିତା ସେତିକି ତୀବ୍ର ହେବାରେ ଲାଗିଛି । ଉଭୟ ବିଜେଡି ଓ ବିଜେପି ଏବେ ସୋସିଆଲ ମିଡିଆକୁ ନିର୍ବାଚନୀ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଛନ୍ତି । ଖାସକରି ନୂଆ ଭୋଟର ତାଲିକାରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଯୁବ ଭୋଟର ଯୋଡି ହୋଇଥିବାରୁ ସେମାନଙ୍କର ଭୋଟବ୍ୟାଙ୍କ ହାତେଇବାକୁ ଏବେ ଦୁଇ ଦଳ କସରତ ଆରମ୍ଭ କରିଛନ୍ତି । ଯୁବବର୍ଗଙ୍କ ସହ ଯୋଡି ହେବା ପାଇଁ ସୋସିଆଲ ମିଡିଆ ଏକ ବଡ ପ୍ଲାଟଫର୍ମ ବୋଲି ଅଙ୍କ କଷିଛନ୍ତି ଉଭୟ ଦଳ ।