ସେଲ୍ଫି ନିଶାରେ ଜୀବନ ସହ ସାଂଘାତିକ୍ ଖେଳ ! ଜୟପୁରରେ ଫଟୋ ଉଠାଇବାକୁ ଯାଇ ୫୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ନବରଙ୍ଗପୁରରେ ଭାଲୁ ସହ ସେଲ୍ଫି ନେବା ଉଦ୍ୟମ ଯୋଗୁଁ ଚାଲିଗଲା ଜଣକର ଜୀବନ

96

କନକ ବ୍ୟୁରୋ : ସାଧରଣତଃ କହିବାକୁ ଗଲେ ବର୍ତ୍ତମାନ ସେଲ୍ଫି ନେବା ଲୋକମାନଙ୍କ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି । ଯେଉଁଠି ଦେଖିଲେ ସେଇଠି ସେଲ୍ଫି, ଯିଏ ପାରିଲା ସିଏ ନେଲା ସେଲ୍ଫି । ତେବେ ମୋଟ ଉପରେ କହିବାକୁ ଗଲେ ସବୁ ସେଲ୍ଫି ମାୟାରେ ବାୟା । ସେଲ୍ଫି କିପରି ପ୍ରାଣଘାତୀ ହୋଇପାରେ, ପୁଣି ଥରେ ସେହି ଚିତ୍ର ସାମନାକୁ ଆସିଛି । ନବରଙ୍ଗପୁରରେ ଭାଲୁ ସହ ସେଲଫି ନେବା ମହଙ୍ଗା ପଡିଛି । ଭାଲୁ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ସେହପରି କୋରାପୁଟରେ ଜଳପ୍ରପାତ ଉପରେ ସେଲ୍ଫି ନେଉଥିବା ଜଣେ ଯୁବକ ୫୦ ଫୁଟ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି ।

selfie

ସେଲ୍ଫି ନିଶା କିପରି ଭୟାନକ ହୋଇପାରେ ଦୁଇଟି ସାଂଘାତିକ ଘଟଣା ଘଟିଛି କୋରାପୁଟ ଓ ନବରଙ୍ଗପୁରରୁ । ନବରଙ୍ଗପୁରରେ ଜଣଙ୍କର ଜୀବନ ଯାଇଥିବା ବେଳେ କୋରାପୁଟରେ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନବରଙ୍ଗପୁରରେ କାଳ ହୋଇଛି ଭାଲୁ ସହ ସେଲ୍ଫି ନେବା । କୋଷାଗୁମୁଡ଼ା ବ୍ଲକର ଫାର୍ସାଗୁଡ଼ା ପଂଚାୟତର ପଦୁବସା ଜଙ୍ଗଲରେ ପ୍ରଭୁ ଭତରା ନାମକ ଜଣେ ଗାଡ଼ି ଡ଼୍ରାଇଭର ଏକ ପୋଖରୀ ନିକଟରେ ଭାଲୁ ସହ ସେଲ୍ଫି ନେଉଥିଲେ । ସେଲ୍ଫି ନେବାବେଳେ ପୋଖରୀ ଭିତରେ ସେ ଫସିଯାଇଥିଲେ । ଏହି ସମୟରେ ତାଙ୍କୁ ଆକ୍ରମଣ କରିଥିଲା ଭାଲୁ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନବିଭାଗ ଘଟଣାସ୍ଥଳରେ ପହଂଚି ଭାଲୁକୁ ଟ୍ରାଙ୍କୁଲାଇଜର ଦେଇ ବେହୋସ କରିବା ପରେ ମୃତଦେହ ଉଦ୍ଧାର କରିଥିଲା । ତେବେ ବିଡମ୍ବନା ହେଉଛି ଲୋକମାନେ ଭାଲୁ ଆକ୍ରମଣର ଦୃଶ୍ୟକୁ ରେକର୍ଡ଼ିଂ କରୁଥିବା ବେଳେ କେହି ତାଙ୍କୁ ବଂଚାଇବା ପାଇଁ ଆଗେଇ ଆସିନଥିଲେ ।

ସେହିପରି କୋରାପୁଟରେ ସେଲଫି ନେବା ବେଳେ ଜଳପ୍ରପାତ ତଳକୁ ଖସିପଡିଛନ୍ତି ଜଣେ ଯୁବକ । କୋରାପୁଟ ପଟାଙ୍ଗୀ ବ୍ଲକ ନୂଆଗାଁ ଗାଲିଗବଡର ଜଳପ୍ରପାତ ବୁଲି ଆସିଥିବା ଜଣେ ପର୍ଯ୍ୟଟକ ୫୦ ଫୁଟ ତଳକୁ ଖସିପଡି ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ସୁବ୍ରତ ନାଗ ଅନ୍ୟ କିଛି ଯୁବକଙ୍କ ସହ ଜଳପ୍ରପାତ ବୁଲିବାକୁ ଆସିଥିଲେ । ତେବେ ଅସାବଧାନତା କାରଣରୁ ତାଙ୍କର ଗୋଡ ଖସିଯାଇଥିଲା । ଗୁରୁତର ଅବସ୍ଥାରେ ପଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି ।