ସମ୍ବଲପୁର ‘ସେଲଫି ବେବୋ’ଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ ! ପୋଲିସ ହାତରେ ଲାଗିଲା ହ୍ୱାଟସଆପ ଭଏସ୍ ମେସେଜ୍, ତନାଘନା ଜାରି

846

କନକ ବ୍ରୁରୋ : ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ମରିଆଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ପୋଲିସ ହାତରେ ଲାଗିଲା ହ୍ୱାଟ୍ସଆପ୍ ଭଏସ୍ ମେସେଜର କ୍ଲିପ୍ । ମୃତ୍ୟୁ ପୂର୍ବରୁ ହ୍ୱାଟ୍ସ୍ରଆପରେ ସିମରନ୍ ଏହି ୧ମିନିଟ୍ ୧୮ ସେକେଣ୍ଡର ଭଏସ ମେସେଜ୍ ଛାଡିଥିବା କୁହାଯାଉଛି । କୁହାଯାଉଛି ଏହି ମେସେଜ ସେ ଘରକୁ ପଠାଇଥିଲେ । ମେସେଜ୍ ପାଇବା ପରେ ବ୍ୟତିବ୍ୟସ୍ତ ହୋଇ ପରିବାର ଲୋକେ ତାଙ୍କୁ ଘରକୁ ଫେରି ଆସିବାକୁ କହିଥିଲେ ।

ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭବାନୀପାଟଣା ଯାଇଥିଲେ । ବୁଧବାର ଟ୍ରେନ ଯୋଗେ ଭବାନୀପାଟଣାରୁ ଫେରିଥିଲେ । ମାତ୍ର ଘରେ ପହଁଚିନଥିଲେ । ରାତିସାରା ବି ମୋବାଇଲରୁ କୌଣସି ଉତ୍ତର ମିଳିନଥିଲା । ସକାଳେ ମହାନଦୀ ବ୍ରିଜ୍ ତଳୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ସିମରନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସିମରନଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସେଲଫି ବେବୋଙ୍କର କେମିତି ମୃତ୍ୟୁ ହେଲା ତା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିଲେ ସିମରନ ମରିଆ । ୨୦ ବର୍ଷିୟା ସିମରନ ବଲାଙ୍ଗିର ବେଲପଡାର ୟୁଗୋଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ୨ ମାସ ହେବ ଉଭୟଙ୍କ ଭିତରେ ଝଗଡା ଲାଗିରହିଥିଲା । ଏନେଇ ସିମରନ୍ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ । ସିମରନ ଶାଶୁ ଘରକୁ ଯିବା ପାଇଁ ଦାବି କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସିମରନଙ୍କ ମୋବାଇଲ, ମନିପର୍ସ, ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରି ତଦନ୍ତ କରୁଛି ।