ସେଲ୍ଫି ସୁଷମା ସୋସିଆଲ୍ ମିଡ଼ିଆ

49

ଇରାନ ରାଷ୍ଟ୍ରପତି ହସନ ରୁହାନିଙ୍କ ସହିତ ସାକ୍ଷାତ ଓ ଆଲୋଚନାବେଳେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରିଧାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବିକାଶ ସ୍ୱରୂପ ଇରାନ ରାଷ୍ଟ୍ରପତି ରୁହାନି ଓ ସୁଷମାଙ୍କ ସାକ୍ଷାତକାରର ଫଟୋକୁ ଟ୍ୱିଟ୍ କରିଥିଲେ । ଫଟୋରେ ସୁଷମା ଏକ ଗୋଲାପି ରଙ୍ଗର ଶାଲକୁ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଘୋଡାଇଥିବା ଦେଖିବାକୁ ମିଳିଥିଲା  । ଏହା ଉପରେ ପାକିସ୍ତାନୀ ବଂଶୋଦ୍ଭବ ସ୍ତମ୍ଭକାର ତାରିକ ଫତେହ ଏହା ଲଜ୍ଜାକର ବୋଲି ଟ୍ୱିଟ୍ କରିଛନ୍ତି  । ଫଟୋଗୁଡ଼ିକ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି  । ସେହିପରି ମରୁଡ଼ି ପ୍ରଭାବିତ ଲାଟୁର୍ ଅଂଚଳରେ ସେଲଫି ଉଠାଇ ବିବାଦକୁ ଆସିଛନ୍ତି ରାଜନେତ୍ରୀ ପଙ୍କଜା ମୁଣ୍ଡେ  । ଏହାକୁ ନେଇ ବିରୋଧୀ ଘେରିଛନ୍ତି ପଙ୍କଜା ମୁଣ୍ଡେଙ୍କୁ  । ସୋସିଆଲ୍ ମିଡ଼ିଆରେ ସୁଷମା ଓ ପଙ୍କଜାଙ୍କୁ ନେଇ ଆଲୋଚନା  । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ସେଲ୍ଫି ସୁଷମା ଓ ସୋସିଆଲ୍ ମିଡ଼ିଆ  ।

PANKAJA-3  451041-sushma-swaraj-in-iran

ଶାଢ଼ୀ ନୁହଁ ଇରାନୀ ପୋଷାକରେ ଅଛନ୍ତି ସୁଷମାଜୀ  । ଗୋଲାପୀ ରଙ୍ଗର ପରିଧାନ ପାଦରୁ ମୁଣ୍ଡଯାଏଁ ପରଦା ପରି ଢାଙ୍କିଦେଇଛି ସୁଷମାଜୀଙ୍କ ପୂରା ଶରୀରକୁ  । ଅଧିକାଂଶ ସମୟ ଆପଣ ସୁଷମାଜୀଙ୍କୁ ଦେଖିଥିବେ ଶାଢ଼ୀରେ  । ଭାରତୀୟ ନାରୀର ଗୌରବ ବହନ କରୁଥିବା ଶାଢ଼ୀ ହେଉଛି ସୁଷମାଜୀଙ୍କର ପ୍ରଥମ ପସନ୍ଦ  । ଏଠି କିନ୍ତୁ ବଦଳିଛି ପସନ୍ଦ ବଦଳିଛି ପରିଧାନ  । ସ୍ଥାନୀୟ ପରମ୍ପରାକୁ ସମ୍ମାନ ଜଣାଇ ସେ ଏହି ପରିଧାନ ପିନ୍ଧିଥିବା କୁହାଯାଉଥିବାବେଳେ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ଆରମ୍ଭ ହୋଇଛି ସମାଲୋଚନା  । ବୈଦେଶିକ ମନ୍ତ୍ରୀଙ୍କର ବିଦେଶୀ ଅବତାର୍କୁ ନେଇ ଉଠିଛି ବିବାଦ ଓ ବିତର୍କ  । ଅନ୍ୟପକ୍ଷରେ ପ୍ରୋଟୋକଲକୁ ସମ୍ମାନ ଦେବା କୂଟନୈତିକ ପ୍ରଥାର ପ୍ରମୁଖ ଅଂଶ ବୋଲି ମଧ୍ୟ ମତ ଆସିଛି ସାଧାରଣରେ  । ଅଧିକାଂଶ ସମୟ ଭାରତୀୟ ଶାଢ଼ୀ ପିନ୍ଧୁଥିବା ସୁଷମା ଏହି ପରିଧାନକୁ ନେଇ ଛନ୍ଦି ହୋଇଯାଇଛନ୍ତି ଅଯଥା ବିବାଦରେ  । ଏହାକୁ ନେଇ ଟୀକା ଟିପ୍ପଣୀ ମଧ୍ୟ ଆରମ୍ଭ ହୋଇଛି ସୋସିଆଲ୍ ମିଡ଼ିଆରେ  । ସୂଚନାଯୋଗ୍ୟ ଇସଲାମୀୟ ଦେଶ ଇରାନରେ ମହିଳାଙ୍କର ପରଦା ପଛରେ ରହିବାର ପରମ୍ପରା ରହିଆସିଛି  । ଏହି ପରମ୍ପରାକୁ ସମ୍ମାନ ଜଣାଇ ସୁଷମା ଏଭଳି ପରିଧାନ ଗ୍ରହଣ କରିଥିବା କୁହାଯାଇଛି  । ତେବେ ଇରାନଗସ୍ତ ସମୟରେ ଏଭଳି ପରିଧାନର କୌଣସି ଆବଶ୍ୟକତା ନଥିଲା ବୋଲି ଅନେକ ମତ ଦେଇଛନ୍ତି ସୋସିଆଲ୍ ମିଡ଼ିଆରେ  । ବିବାଦରେ ବୈଦେଶିକ ମନ୍ତ୍ରୀଙ୍କ ବିଦେଶିନୀ ବେଶ  ।

ଭାରତ – ଇରାନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା  । ସାଂସ୍କୃତିକ ଭାବ ଆଦାନ ପ୍ରଦାନ କରିବା । ସହଯୋଗୀ ରାଷ୍ଟ୍ର ଭାବେ ପରସ୍ପରକୁ ସହାୟତା କରିବା  । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ସୁଧାର ଆଣିବା ଦିଗରେ ସୁଷମା ସ୍ୱରାଜ୍ଙ୍କ ଇରାନ୍ଗସ୍ତ ସହାୟକ ହେବାର ଆଶା କରାଯାଏ  । ଭାରତର ଶକ୍ତିର ଆବଶ୍ୟକତାକୁ ପୂରଣ କରିବା ଲାଗି ଇରାନ ଏକ ବିଶ୍ୱସ୍ତ ଅଂଶୀଦାର ହୋଇପାରିବ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଇରାନ ରାଷ୍ଟ୍ରପତି ହସନ ରୁହାନି ଆଶ୍ୱାସନା ଦେଇଛନ୍ତି । ବିଶେଷକରି ତୈଳ ଓ ଗ୍ୟାସ କ୍ଷେତ୍ରରେ ଦୁଇଦେଶର ସଂପର୍କ ଅଧିକ ବ୍ୟାପକ ହୋଇପାରିବ ବୋଲି ରୁହାନି କହିଛନ୍ତି  । ଇରାନର ତେହେରାନ୍ ବିଶ୍ୱ ବିଦ୍ୟାଳୟରେ ହିନ୍ଦୀପୀଠ ପାଇଁ ମଧ୍ୟ ହୋଇଛି ଆଲୋଚନା  । ସୁଷମାଙ୍କ ଇରାନଗସ୍ତ ଏକପ୍ରକାର ସଫଳ ହୋଇଥିବାବେଳେ ଏବେ ତାଙ୍କ ପରିଧାନକୁ ନେଇ ଉଠିଛି ବିବାଦ  । ସେହିପରି ମରୁଡ଼ି ପ୍ରଭାବିତ ଅଂଚଳରେ ସେଲଫି ଉଠାଇ ବିବାଦ ଘେରକୁ ଆସିଛନ୍ତି ପଙ୍କଜା ମୁଣ୍ଡେ  ।

      sushma-swaraj_650x400_51460905236

Sushma-Swaraj-PTI - Copy

ଡହଡହ ଖରା  । ନିଦାରୁଣ ଗ୍ରୀଷ୍ମ  । ପାଣି ଆଉ ପେଟ ପାଇଁ ରୀତିମତ ସଂଘର୍ଷ  । ମହାରାଷ୍ଟ୍ରରେ ସଙ୍ଗୀନ୍ ହେଉଛି ମରୁଡ଼ି ପରିସ୍ଥିତି  । ଆକାଶରୁ ବର୍ଷୁନି ବୁନ୍ଦାଏ ପାଣି  । ମାଟି ପାଟି ସବୁ ଶୁଖିଲା  । ଚାରିଆଡ଼େ ଚିତ୍ର ଉକ୍ରଟ ଜଳାଭାବ ଓ ଗ୍ରୀଷ୍ମକଷ୍ଟର  । ପାଣି ଆଉ ପେଟ ଚିନ୍ତାରେ ମହାରାଷ୍ଟ୍ର ଜନତା ଘାରି ହେଉ ଥିବାବେଳେ ବିବାଦରେ ଫସିଛନ୍ତି ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଙ୍କଜା ମୁଣ୍ଡେ । ରାଜ୍ୟର ଉକ୍ରଟ ମରୁଡି ପ୍ରପୀଡିତ ମରଠାୱାଡାରେ ସେଲ୍ଫି ଫଟୋ ଉଠାଇ ବିବାଦ ଘେରକୁ ଚାଲିଆସିଛନ୍ତି ପଙ୍କଜା । ମରାଠାୱାଡାରେ ଟୋପାଏ ପାଣି ପାଇଁ ମହିଳାଙ୍କୁ ମାଇଲ ମାଇଲ ବାଟ ଚାଲିଚାଲି ଯିବାକୁ ପଡୁଥିବାବେଳେ ଏହି ମରୁଡି ଅଂଚଳରେ ମନ୍ତ୍ରୀଙ୍କ ସେଲଫିକୁ କଡ଼ା ସମାଲୋଚନା କରାଯାଇଛି । ଲାଟୁରରେ ଜଳ ସଂରକ୍ଷଣ ଯୋଜନାର ତଦାରଖ କରୁଥିବାବେଳେ ଏକ ଟ୍ରେଂଚ୍ ନିକଟରେ ଏହି ସେଲ୍ଫି ଉଠାଇଛନ୍ତି ପଙ୍କଜା ମୁଣ୍ଡେ । ଏହାକୁ ମନ୍ତ୍ରୀଙ୍କ ସମ୍ବେଦନହୀନ କାମ କହି ସମାଲୋଚନା କରିଛନ୍ତି ବିରୋଧୀ  । ଏହି ବିବାଦୀୟ ସେଲଫିକୁ ନେଇ ସୋସିଆଲ୍ ମିଡ଼ିଆରେ ମଧ୍ୟ ଜୋର ଧରିଛି ଚର୍ଚ୍ଚା  । ଲାଟୁର ଏବେ ମରୁଡ଼ି ସହ ଜୁଝୁଥିବାବେଳେ ମନ୍ତ୍ରୀ ମହୋଦୟା ଏଭଳି ସେଲଫି ଫଟୋ ନେବା ଦାୟିତ୍ୱହୀନତା ଓ ଅମଣିଷପଣିଆ ବୋଲି ମତ ଦେଇଛନ୍ତି ଅନେକ ବ୍ୟକ୍ତି  ।

      pankaja-munde_650x400_61460960856

ଦେଶର ଦୁଇ ଲୋକପ୍ରିୟ ନେତ୍ରୀ ସୁଷମା ସ୍ୱରାଜ୍ ଓ ପଙ୍କଜା ମୁଣ୍ଡେ  । ଏବେ ତାଙ୍କ ପରିଧାନ ଓ କାର୍ଯ୍ୟଶୈଳୀ ପାଲଟିଛି ଆଲୋଚନାର ମୁଖ୍ୟ ବିଷୟ  । ସୋସିଆଲ୍ ମିଡ଼ିଆରେ ନେତାମାନେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଏକ ଅବସର ସୃଷ୍ଟି ହୋଇଛି  । ବିବାଦରେ ସେଲ୍ଫି ସୁଷମା ଓ ସୋସିଆଲ୍ ମିଡ଼ିଆ  ।