ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ସନ୍ଥ ରାମପାଲ : ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କଲେ ହରିୟାଣାର ହିସାର କୋର୍ଟ

46

କନକ ବ୍ୟୁରୋ : ଦୋଷୀ ସାବ୍ୟସ୍ତ ହେଲେ ବାବା ରାମପାଲ । ହତ୍ୟା ମାମଲାରେ ହିସାର କୋର୍ଟ ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅକ୍ଟୋବର ୧୬ ତାରିଖରେ ତାଙ୍କ ପାଇଁ ଦଣ୍ଡାଦେଶ ଘୋଷଣା ହେବ ବୋଲି ଜଣାପଡିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହୋଇଛି । ହିସାର କୋର୍ଟଙ୍କ ମୁଖ୍ୟ ବିଚାରପତି ଡି.ଆର ଚାଲିୟା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଶୁଣାଣିକୁ ନଜରରେ ରଖି ପୁଲିସ ୪୮ ଘଂଟା ପୂର୍ବରୁ ହରିୟାଣା ହିସାରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଯେମିତି କୌଣସି ଅଘଟଣ ନଘଟେ ତାକୁ ନଜରରେ ରଖି ହିସାର ଅଂଚଳକୁ ସିଲ କରିଦିଆଯାଇଛି ।

ଏହା ସହ ୧୪୪ ଧାରା ଜାରି କରାଯାଇଛି । ଅଦାଲତ ବାହାରେ ତଥା ଅଦାଲତଠୁ ୪ କିଲୋମିଟର ଦୂର ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବାବା ରାମପାଲଙ୍କ ସମର୍ଥକ ଯେମିତି କୌଣସି ଅଘଟଣ ନଘଟାନ୍ତି ସେଥିପ୍ରତି ପୁଲିସ ସଜାଗ ହୋଇଛି । ଗୁରମିତ ରାମ ରହିମ ମାମଲାର ଶୁଣାଣି ବେବେ ପଂଚକୁଲାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାମରହିମଙ୍କ ସମର୍ଥକ ହିଂସାକାଣ୍ଡ ଘଟାଇଥିଲେ । ତେଣୁ ରାମପାଲଙ୍କ କ୍ଷେତ୍ରରେ ସେଭଳି ପରିସ୍ଥିତି ଯେପରି ସୃଷ୍ଟି ନହେଉ ସେ ନେଇ ପ୍ରଶାସନ ସଜାଗ ଅଛି । ପୁଲିସ ଅନୁମାନ କରୁଛି ଯେ ଶୁଣାଣି ବେବେ ରାମପାଲଙ୍କର ୧୦ରୁ ୨୦ ହଜାର ସମର୍ଥକ ଏକାଠି ହୋଇପାରନ୍ତି । ହିସାରରେ ୧୩ଶହ ପୁଲିସ କର୍ମୀ, ଅନ୍ୟ ଜିଲ୍ଲାମାନଙ୍କରେ ୭ଶହ ଯବାନ, ଆରଏଏଫର ୫ କମ୍ପାନୀ ଫୋର୍ସ ଏବଂ ହରିୟାଣା ପୁଲିସର ୧୨ଜଣ ଏସପି ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ୨୦୧୪ ମସିହାରେ ରାମପାଲଙ୍କ ଆଶ୍ରମରେ ଘଟିଥିବା ହିଂସାକାଣ୍ଡରେ ୬ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ସମେତ ୫ଜଣ ମହିଳା ରହିଥିଲେ ।