ବରଗଡ : ମଦଭାଟି ଭାଙ୍ଗିଲେ ମହିଳା ସ୍ୱୟଂ ସହାୟକ ସଂଘ

11

କନକ ବ୍ୟୁରୋ : ମଦଭାଟି ଭାଙ୍ଗିଲେ ମହିଳା ସ୍ୱୟଂ ସହାୟକ ସଂଘ । ବରଗଡ ନିକଟସ୍ଥ ଖଲିଆପାଲି ଗ୍ରାମରେ ଥିବା ଏକ ମଦ ଭାଟିକୁ ଭାଙ୍ଗିବା ସହ ମଦରେ ନିଆଁ ଲଗାଇ ଜଳାପୋଡା କରିଛନ୍ତି ଉତ୍ୟକ୍ତ ମହିଳା । ଖଲିଆପାଲିରେ ସରକାରୀ ଦେଶୀ ମଦଭାଟି ଖୋଲିବା ଦିନଠାରୁ ଏହାକୁ ବିରୋଧ ହୋଇ ଆସୁଥିଲା । ଗ୍ରାମର ମହିଳାମାନଙ୍କ କହିବା ଅନୁସାରେ ଏହି ମଦଭାଟି ବନ୍ଦ କରିବା ପାଇଁ ପୂର୍ବରୁ ପୁଲିସ ପ୍ରଶାସନକୁ ସେମାନେ ଅନୁରୋଧ କରିଥିଲେ ।

ଏହାସହ ମଦଭାଟି କର୍ମଚାରୀଙ୍କୁ ମଧ୍ୟ ଭେଟି ବନ୍ଦ କରିବାକୁ ତାଗିଦ୍ କରିଥିଲେ । ମାତ୍ର କେହି ତାଙ୍କ କଥାକୁ ଶୁଣିନଥିଲେ । ଫଳରେ ଆଜି ମହିଳାମାନେ ସଂଘବଦ୍ଧ ଭାବେ ଆସି ଭାଟିର ଘର ଛପର ଭାଙ୍ଗିବା ସହ ସେଠାରେ ଥିବା ମଦ ପାଉଚ ଫିଙ୍ଗି ନଷ୍ଟ କରିଛନ୍ତି । ଏହା ସହିତ ବିଭିନ୍ନ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ । ଘଟଣା ସ୍ଥଳରେ ବରଗଡ ପୁଲିସ ପହଁଚି ଅନୁସନ୍ଧାନ ଆରମ୍ଭ କରିଛି । ମଦଭାଟି ଯୁବ ଓ ଛାତ୍ର ସମାଜ ଉପରେ କୁପ୍ରଭାବ ପକାଇବା ସହ ଗ୍ରାମରେ ବିଶୃଙ୍ଖଳାର କାରଣ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।