ଦୁବାଇରୁ ଆସୁଛି ଚୋରା ସୁନା ! ଅସ୍ତ୍ର ଓ ନିଶା ଦ୍ରବ୍ୟ କାରବାର ପାଇଁ ପୁରୁଣା ରୁଟରେ ଚୋରା ଚାଲାଣ କରାଉଛି ଦାଉଦ ଇବ୍ରାହିମ୍

ମିଆଁମାରରୁ ମୁମ୍ବାଇ ଭିତରେ ହେଉଛି କାରବାର; ଗତକାଲି ରାଉରକେଲା ଷ୍ଟେସନରୁ ଜବତ ହୋଇଥିଲା ୧୩ କେଜି ସୁନା

587

କନକ ବ୍ୟୁରୋ: ଚୋରା ସୁନାର ଦୁବାଇ ଲିଙ୍କ୍ । ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରୁ ୧୩ କେଜି ସୁନା ଧରାପଡିବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଛି । ଏହି ସୁନା ଚୋରାଚଲାଣର ଥାଇପାରେ ଦୁବାଇ ଲିଙ୍କ୍ । ଆଉ ଏହା ପଛରେ ମୁମ୍ବାଇ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଏହି ଚେରାଚାଲାଣର ରୁଟ ହେଉଛି ପଶ୍ଚିମବଙ୍ଗରୁ ମୁମ୍ବାଇ । ଦାଉଦ ଇବ୍ରାହିମ ବର୍ତ୍ତମାନ ପାକିସ୍ତାନରେ ରହୁଛି ।

ବିଶେଷଜ୍ଞଙ୍କ ଅନୁସାରେ, ଅସ୍ତ୍ର ଓ ନିଶାଦ୍ରବ୍ୟ କାରବାର ପାଇଁ ସୁନାର ଚୋରାଚାଲାଣ କରୁଥାଇପାରେ । ଆଉ ଚୋରାଚାଲଣର ରୁଟ୍ ହେଉଛି ଦୁବାଇରୁ ଚୀନ, ଚୀନରୁ ମିଆଁମାର ଓ ମିଆଁମାରରୁ ପଶ୍ଚିମବଙ୍ଗ ଦେଇ ମୁମ୍ବାଇ । ଏହା ହେଉଛି ସେମାନଙ୍କ ପୁରୁଣା ଚୋରାଚାଲାଣ ରୁଟ୍ । ଗତକାଲି ୧୨କେଜି ୯୩୨ଗ୍ରାମର ସୁନା ଜବତ କରାଯାଇଥିଲା । ସୁନା ଗୁଡିକ ବିସ୍କୁଟ ଆକାରରେ ଚାଲାଣ କରାଯାଉଥିଲା ।

ହାୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀ ମାନେ ୧୧୦ଖଣ୍ଡ ସୁନା ଖଣ୍ଡ ଜବତ କରିଥିଲେ । ଏହାର ଅନୁମାନିକ ମୂଲ୍ୟ ୫କୋଟି ଟଙ୍କା ହେବ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତନାଘନା କରାଯାଉଛି । ଅଟକ ଯୁବକମାନେ ମୁମ୍ବାଇର ବୋଲି ଜଣାପଡିଛି ।